ଭଦ୍ରକ, ୧୯ ଜାନୁଆରୀ (ହି.ସ.) - ଭଦ୍ରକର ଅଗ୍ରଣୀ ନାଟ୍ୟ ସଂସ୍ଥା ବିମଳା ନାଟ୍ୟ ସଂସଦ ପକ୍ଷରୁ ରୌପ୍ୟ ଜୟନ୍ତି ସମାରୋହ ପାଳନ ନେଇ ଖବରଦାତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଫେବୃଆରୀ ୪ ଓ ୫ ତାରିଖ ଦୁଇ ଦିନ ବ୍ୟାପି ଏହା ପାଳନ କରାଯିବ । ନୂତନ ପିଢୀ ମାନଙ୍କୁ ଲୋକ କଳା ପ୍ରତି ଆକୃଷ୍ଠ କରିବା ଓ କଳା, ସାହିତ୍ୟ, ସଂସ୍କୃତିକୁ ଉଦ୍ଯିବିତ କରି ରଖିବା ନେଇ ନାଟ୍ୟ ସଂସଦ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସୂଚନା ଦିଆଯାଇଛି । ଆଜକୁ ୩୧ ବର୍ଷ ପୂର୍ବେ ଲୋକ କଳାର ପ୍ରଚାର ପ୍ରସାର ପାଇଁ କୋରଣ୍ଟ ରାନ୍ଦିଆରେ ନାଟ୍ୟ ସଂସଦ ଗଢି ଉଠିଥିବା ବେଳେ ବିଭିନ୍ନ ଲୋକ କଳା ବିଶେଷ କରି ଭଦ୍ରକର ମୋଗଲ ତାମସା ପରିବେଷଣ କରି କଳା ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ସଂସଦର ସମ୍ପାଦକ ନାଟ୍ୟ ନିଦ୍ଦେର୍ଶକ ଗୌରାଙ୍ଗ ଚନ୍ଦ୍ର ବାରିକ୍ ପ୍ରକାଶ କରିଥିଲେ । ସଭାପତି ରମାକାନ୍ତ ଗାହାଣ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରି ଭଦ୍ରକ ଟାଉନ୍ ହଲରେ ପ୍ରଥମ ଦିନରେ ପଣ୍ଡିତ ମଦନ ମୋହନ ମିଶ୍ର ଙ୍କ ରଚନା ଓ ଗୌରାଙ୍ଗ ଚନ୍ଦ୍ର ବାରିକଙ୍କ ନିର୍ଦ୍ଦେଶନାରେ ନାଟକ ତୃଷ୍ଣା ଓ ଦ୍ୱୀତିୟ ଦିନରେ ବିଜୟ ଦାସଙ୍କ ରଚନା ଓ ଅଶୋକ ମହାନ୍ତି, ଇଂ. ପ୍ରଭୁଦତ୍ତ ସୁଆର ଙ୍କ ନିର୍ଦ୍ଦେଶନାରେ ନାଟକ ମୁଁ ରାବଣ କହୁଛି ମଞ୍ଚସ୍ଥ କରାଯିବ ବୋଲି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଅମୀୟ କୁମାର ମହାପାତ୍ର, ଉପ-ସଭାପତି ଇଂ. ଅଶୋକ କୁମାର ମହାନ୍ତି, କୋଷାଧ୍ୟକ୍ଷ ଆଶିଷ କୁମାର ସେଠୀ ଉପସ୍ଥିତ ଥିଲେ । ପ୍ରକାଶଥାଉକି ରୌପ୍ୟ ଜୟନ୍ତି ଅବସରରେ ସଂପୃକ୍ତ ଅଞ୍ଚଳର ୨ଶହ ଛାତ୍ରଛାତ୍ରୀଙ୍କୁ ନେଇ ଓଡଶୀ, ଲୋକନୃତ୍ୟ, କଣ୍ଠସଙ୍ଗୀତ, ବାଦ୍ୟଯନ୍ତ୍ର, ଏକକ ଅଭିନୟ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିବା ବେଳେ ଉକ୍ତ ଦିନ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ ସହ ବିଭିନ୍ନ ପ୍ରତିଭାଧର ଙ୍କୁ ସମ୍ମାନିତ କରାଯିବ । ବହୁ ବିଶିଷ୍ଟ ଅତିଥି କାର୍ଯ୍ୟକ୍ରମରେ ଯୋଗଦାନ କରିବା ନେଇ ସ୍ୱକୃତୀ ପ୍ରଦାନ କରିଛନ୍ତି । କଳାକାର ମିନତୀ ବାରିକ୍, ସନ୍ଧ୍ୟାରାଣୀ ବେହେରା, ପଦ୍ମୀନି ସେଠୀ, ଦୀପକ ଜେନା, ପ୍ରଦୀପ ବାରିକ୍, ଅମିୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ