ସମ୍ବଲପୁର, ୭ ଜାନୁଆରୀ (ହି.ସ.)- ସମ୍ବଲପୁରର ପୋକ୍ସୋ ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଆଜି ଅଭିଯୁକ୍ତକୁ ୬ ପୋକ୍ସୋ ଆଇନ ବଳରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଏବଂ ୩୭୬(ଏବି) ଧାରାରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦୦୦ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।
ବିଚାରପତି ରୋହିତଲାଲ ପଣ୍ଡା ଅଭିଯୁକ୍ତ ମିଲନ ଖଡିଆକୁ ଦୋଷୀ ସାବ୍ୟସ୍ତ କରିବା ସହ ଏହି ରାୟ ଶୁଣାଇଛନ୍ତି । ୧୫ଜଣଙ୍କ ସାକ୍ଷ୍ୟ ଓ ବୟାନ, ୨୦ଟି ସାକ୍ଷ୍ୟ ଦସ୍ତାବିଜ ଅନୁଧ୍ୟାନ କରି ଏହି ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ବସନ୍ତ କୁମାର ମିଶ୍ର ଏହି ମାମଲା ପରିଚାଳନା କରୁଥିଲେ । ପ୍ରକାଶ ଯେ, ଗତ ୨୦୨୨ ଅକ୍ଟୋବର ୧୮ ତାରିଖ ଦିନ ଶାସନ ଥାନା ଅନ୍ତର୍ଗତ ନିଜ ଗାଁର ଘର ସମ୍ମୁଖରେ ୩ ବର୍ଷୟା ନାବାଳିକା ଖେଳୁଥିଲେ । ଏହି ସମୟରେ ଅଭିଯୁକ୍ତ ମିଲନ ଖଡିଆକୁ ନାବାଳିକାକୁ ଏକାକୀ ପାଇ ଅନ୍ୟତ୍ର ଉଠାଇ ନେବା ସହ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ ମାଆ ନିଜ ଝିଅକୁ ଖୋଜାଖୋଜି ଆରମ୍ଭ କରିଥିଲେ । ଏହି ସମୟରେ ନାବାଳିକା କାନ୍ଦିକାନ୍ଦି ଘରକୁ ଫେରୁଥିଲା । ଏହା ଦେଖି ପୀଡିତାଙ୍କ ମାଆ ଏ ସମ୍ପର୍କରେ ନାବାଳିକାକୁ ପଚରାଉଚରା କରିଥିଲେ । ପରେ ନାବାଳିକା ଶରୀରରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା । ନିଷ୍କପଟ ନାବାଳିକାକୁ ପ୍ରଥମେ ପରମାଣପୁର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଘଟଣା ପରଦିନ ପୀଡିତାଙ୍କ ପରିବାର ପକ୍ଷରୁ ଶାସନ ଥାନାରେ ଏକ ଅଭିଯୋଗ ଦାୟର କରାଯାଇଥିଲା । ଏହାକୁ ଆଧାର କରି ପୋଲିସ ପୋକ୍ସୋ ଦଫାରେ ଏକ ମାମଲା ସଂଖ୍ୟା ୨୫୭/୨୨ରେ ଏକ ମୋକଦ୍ଦମା ଦାୟର କରି ତଦନ୍ତ କରିଥିଲା । ସେହିବର୍ଷ ଡିସେମ୍ବର ୧୯ ତାରିଖରେ ପୋଲିସ ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ କରିଥିଲା । ଗତ ମାସ ୨୦ ତାରିଖରେ ଏହି ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ରାୟକୁ ସଂରକ୍ଷିତ ରଖାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ