ନୂଆପଡା, ୨୦ ଅକ୍ଟୋବର (ହି.ସ.)- ନୂଆପଡା ଉପନିର୍ବାଚନ ପାଇଁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ଉପଜିଲ୍ଲାପାଳ ସୁରମି ସୋରେନଙ୍କ ନିକଟରେ ସେ ନାମାଙ୍କନ ଭରିଛନ୍ତି । ସ୍ନେହାଙ୍ଗିନୀ ନିଜ ସମର୍ଥକ ମାନଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ବରିଷ୍ଠ ବିଜେଡ଼ି ନେତା ପ୍ରଣବ ଦାଶ, ବର୍ଷା ସିଂହବରିହା, ଟୁକୁନି ସାହୁ, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି, ଗତ ୧୮ ତାରିଖରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଓ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନଭେମ୍ବର ୧୧ ତାରିଖରେ ଦିନ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଶିବିର ଚଳଚଂଚଳ ହୋଇଉଠିଛି । ତିନି ଦଳର ପ୍ରମୁଖ ନେତା ମାନେ ଆସି ନୂଆପଡ଼ାରେ ଡେରା ପକାଇଲେଣି । କ୍ଷମତାକୁ ଆସିଲା ପରେ ବିଜେପି ପ୍ରଥମ ଥର ପାଇଁ ଉପନିର୍ବାଚନର ସାମନା କରୁଥିବାରୁ ଏହା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ନିର୍ବାଚନୀ ରଣନୀତିର ପ୍ରଥମ ପର୍ଯ୍ୟାୟରେ ଦିବଂଗତ ବିଜେଡି ବିଧାୟକଙ୍କ ପୁଅ ଜୟ ଢୋଲକିଆଙ୍କୁ ନିଜ ପକ୍ଷକୁ ଆଣି ପ୍ରାର୍ଥୀ କରାଇବାରେ ବିଜେପି ସଫଳ ହୋଇଛି । ଅନ୍ୟପକ୍ଷରେ ବିଜେଡ଼ି ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେବା ସହିତ ମହିଳା କାର୍ଡ଼ ଖେଳିଛି । ସେପଟେ ଲୋକଙ୍କ ନେତା ଭାବେ ଘାସିରାମଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ଚଳିତ ଉପନିର୍ବାଚନରେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ