ଭୁବନେଶ୍ୱର, 20 ଅକ୍ଟୋବର (ହି.ସ.)- ଶୁଭମିତ୍ରା ଓ
ଅପର୍ଣ୍ଣା ହତ୍ୟାକାଣ୍ଡ ମାମଲା । ପୁଣି ବଢ଼ିଲା ଦୀପକର ଅଡୁଆ । ଝାରପଡ଼ା ଜେଲରେ ଜେରା କରିବ
ଖୁଣ୍ଟୁଣୀ ପୁଲିସ । ପ୍ରଥମ ପତ୍ନୀଙ୍କ ହତ୍ୟା ବିଷୟରେ ହେବ ପଚରାଉଚରା । ଖୁବଶୀଘ୍ର ହେବ
ଶୁଭମିତ୍ରାଙ୍କ ହତ୍ୟା ମାମଲାର ଚାର୍ଜସିଟ୍ । ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ଓ
ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା ମାମଲାରେ ଛନ୍ଦି ହୋଇଥିବା ଦୀପକ ସାହୁ ଲାଗି ପୁଣି
ବଢ଼ିଛି ଅଡୁଆ । ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟା ମାମଲା ଉପରେ ଦୀପକକୁ ପଚରାଉଚରା ଲାଗି
ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି ଝାରପଡ଼ା ଜେଲରେ ଦୀପକକୁ ଜେରା କରିବା ଖୁଣ୍ଟୁଣୀ
ଥାନା ପୁଲିସ ।
ତଦନ୍ତକାରୀ ଅଧିକାରୀ ତଥା
କଟକ ଗ୍ରାମାଞ୍ଚଳ ପୁଲିସ ମୁଖ୍ୟାଳୟର ଡିଏସ୍ପି ଅଜୟ ଦାସଙ୍କ ନେତୃତ୍ବରେ ଟିମ ଦୀପକକୁ ଝାରପଡ଼ା
ଜେଲରେ ଜେରା କରିବେ ବୋଲି ବିଶେଷସୂତ୍ରରୁ
ଜଣାପଡ଼ିଛି । ଅପର୍ଣ୍ଣାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭଉଣୀ ଥାନାର ଦ୍ବାରସ୍ଥ ହେବା ପରେ
ଖୁଣ୍ଟୁଣୀ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା । ଶୁଭମିତ୍ରାଙ୍କୁ ହତ୍ୟା ଘଟଣାରେ
ତଦନ୍ତ ଜାରି ରହିଛି । ଏହି ହତ୍ୟାକାଣ୍ଡ ରେଡ୍ ଫ୍ଲାଗ୍ ଶ୍ରେଣୀଭୁକ୍ତ କରାଯାଇଥିବାରୁ ମାମଲାର
ଅଗ୍ରଗତି ସଂକ୍ରାନ୍ତରେ କ୍ରାଇମ୍ବ୍ରାଞ୍ଚର ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଛି । ଏହି
ମାମଲାର ତଦାରଖ ଦାୟିତ୍ବରେ ଥିବା ଅଧିକାରୀ ପ୍ରମାଣ ଯୋଗାଡ଼ ସହ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି
। ସମ୍ପୃକ୍ତ ଅଧିକାରୀ ନିର୍ଦେଶ ଦେବା ପରେ ତଦନ୍ତକାରୀ ଅଧିକାରୀ ଅଦାଲତରେ ଏହି ମାମଲାର
ଚାର୍ଜସିଟ୍ ଦାଖଲ କରିବେ । ଦୀପକ ଓ ଶୁଭମିତ୍ରାଙ୍କ ୩ଟି ଆକାଉଣ୍ଟର ତଥ୍ୟ ପୁଲିସର ହସ୍ତଗତ
ହୋଇଛି । ଆଉ କିଛି ଆକାଉଣ୍ଟ ତଥ୍ୟ ମଗାଯାଇଛି । ଆକାଉଣ୍ଟର ସବିଶେଷ ତଥ୍ୟ ଆସିଲେ, ଏଗୁଡ଼ିକ ତର୍ଜମା
ସହ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ ବୋଲି ପୁଲିସ କହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା