
ଜୟପୁର, ୨୪ ଅକ୍ଟୋବର (ହି.ସ.) - ଏଆଇଟିୟୁସି ର ତିନୋଟି ସଂଗଠନ ଜିଲ୍ଲାର ବୈଠକ ଜୟପୁର ଶ୍ରମିକ କର୍ମଚାରୀ ଭବନ ଠାରେ ଶ୍ରମିକ ନେତା ଶ୍ରୀ ପ୍ରମୋଦ କୁମାର ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ। ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ଜେନା କହିଛନ୍ତି ଯେ ମୋହନ ମାଝୀ ସରକାର ଦୈନିକ କାର୍ଯ୍ୟ ସମୟ ଆଠ ଘଂଟା ବଦଳରେ ଦଶ ଘଂଟା ଧାର୍ଯ୍ୟ କରିବା ପାଇଁ ଘୋଷଣା କରିଛନ୍ତି ଏବଂ ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ରାତ୍ରି କାଳୀନ କାର୍ଯ୍ୟ କରିବା ପାଇଁ ଆଇନ୍ ବଦଳେଇ ଛନ୍ତି ଯାହାକି ମହିଳା ମାନଙ୍କ ପାଇଁ ସମ୍ବେଦନଶୀଳ । ଆଠ ଘଂଟା କାର୍ଯ୍ୟ ସମୟ ବଦଳରେ କାମର ସମୟ କୁ କମ୍ କରିବା ବଦଳରେ ଦଶ ଘଂଟା କରିବା ହେଉଛି କର୍ପୋରେଟ୍ ଜଗତର ନିର୍ଦ୍ଦେଶ। ଆଜି ବେକାରୀ ସମସ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଲୋକ ଙ୍କୁ କାମ ନାହିଁ। ଦରଦାମ ବୃଦ୍ଧି ଅସହ୍ୟ। ଦରମା ହାର ବୃଦ୍ଧି ହେଉନାହିଁ। ସଦ୍ୟତମ ଉଦାହରଣ ହେଉଛି ଜୟପୁର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଓ ଅଧ୍ୟାପକ ମାନଙ୍କୁ ପାଂଚ ମାସ ହେଲା ଦରମା ନାହିଁ। କ୍ଳାସ କୁ ମାତ୍ର ପାଂଚ ଶହ ଟଙ୍କା ଦେଉଛନ୍ତି ଯେତେବେଳେ କି ସାତଶହ ଟଙ୍କା ବା ମାସିକ ୩୫୦୦୦/ ଟଙ୍କା ଦରମା ଦେବା କଥା । ଏମାନଙ୍କ ଚାକିରି ର ସ୍ଥାୟୀତ୍ୱ ନାହିଁ, ସେହି ଭଳି ଲକ୍ଷ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି ଯାହା ଆଉଟ୍ ସୋର୍ସିଙ୍ଗ୍ ଓ ଠିକା ରେ କିମ ଚାଲିଛି। ଏତିକି ବେଳେ ସରକାର ଘୋଷଣା କରିଛନ୍ତି ଅବସରପ୍ରାପ୍ତ ଅଧ୍ୟାପକ ମାନେ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ରେ ପାଠ ପଢେଇବେ । ଏହି ବ୍ୟବସ୍ଥା ସବୁ ବିଭାଗରେ ରହିଛି ଯେତେବେଳେ ବେକାରୀ ସମସ୍ୟା ଉତ୍କଟ। ଏହାର ବିରୁଦ୍ଧରେ ନଭେମ୍ବର ଦଶ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲ୍ଲାରେ ବିକ୍ଷୋଭ ଆନ୍ଦୋଳନ କରି ଏସବୁ ଅଗଣତାନ୍ତ୍ରିକ ପନ୍ଥା ର ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରାଯିବ ଏବଂ ଯଦି ସରକାର ନଶୁଣନ୍ତି ସବୁ ଶ୍ରମିକ ସଂଗଠନ ଡିସେମ୍ବର ୩,୪,୫, ରାଜ୍ୟ ରାଜଧାନୀ ରେ ମହାଧାରଣା ବିକ୍ଷୋଭ ପ୍ରଦର୍ଶନ କରିବେ । ଆସନ୍ତା ଅକ୍ଟୋବର ୩୧ ତାରିଖ ଦିନ ସବୁ ଜିଲ୍ଲା ଓ ବ୍ଳକ୍ ରେ ଏଆଇଟିୟୁସି ପ୍ରତିଷ୍ଠା ଦିବସ ପାଳନ ହେବ ଓ ଜିଲ୍ଲାର ଶ୍ରମିକ ମାନଙ୍କ ସମସ୍ୟା ନେଇ ଆନ୍ଦୋଳନ ସହ ଦାବି ପତ୍ର ପ୍ରଦାନ କରାଯିବ। ଆଜିର ଆଲୋଚନାରେ ସର୍ବଶ୍ରୀ ଯୁଧିଷ୍ଠିର ରାଉଳ, ଉତମ ମଲ୍ଲିକ,ଡମାଇ ମାଝୀ,ସନାତନ ସାହୁ,ଭାନୀ ପୂଜାରୀ, ମହାନନ୍ଦ ଦୁର୍ଗା, ସିପିଆଇ ଜିଲ୍ଲା ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ସଭା କାର୍ଯ୍ୟ ସକାଳ ଘ : ୧୧.୦୦ ଠାରୁ ଆରମ୍ଭ ହୋଇ ଅପରାହ୍ନ ଘ:୩.୦୦ ରେ ଶେଷ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି