
ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.)
ରାଜଧାନୀର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ଗୋଦାବରୀଶ ସାହିତ୍ୟ ସଂସଦର ୬୮ତମ ବାର୍ଷିକ ଉତ୍ସବ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୧୩୮ତମ ଜୟନ୍ତୀ ଉତ୍ସବ ଅକ୍ଟୋବର ୨୬ ତାରିଖ ପୂର୍ବାହ୍ନରେ ଗୀତ ଗୋବିନ୍ଦ ସଦନରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଅତିଥିମାନେ ଶ୍ରୀଜଗନ୍ନାଥ ଓ ପଣ୍ଡିତ ଗୋଦାବରୀଶଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳ କରିବା ପରେ ପାରମ୍ଭିକ ସଂଗୀତ ‘ତୁଙ୍ଗ ଶିଖରୀ ଚୁଳ’ ଗାନ କରାଯାଇଥିଲା ।
ସଂସଦର ବରିଷ୍ଠ ସଭ୍ୟ ପ୍ରଫେସର ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂସଦର ସଂପାଦକ ଡକ୍ଟର ରାମଚନ୍ଦ୍ର ମହାନ୍ତି ବାର୍ଷିକ ବିବରଣୀ ପାଠ କରିବା ପରେ ସଂସଦର ମୁଖପତ୍ର ‘ମୂର୍ଚ୍ଛନା-୨୦୨୫’ ପ୍ରଫେସର ଉପେନ୍ଦ୍ର ପ୍ରସାଦ ନାୟକଙ୍କ ‘ଭିନ୍ନ ଦୃଷ୍ଟି ଭିନ୍ନ ଦିଗନ୍ତ’ ଓ ଶ୍ରୀ କାଳନ୍ଦୀ ଚନ୍ଦ୍ର ଭଞ୍ଜଙ୍କର ‘ମଧୁମତି’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ ସ୍ୱନାମଧନ୍ୟ କବି ଡକ୍ଟର ଫନୀ ମହାଂତିଙ୍କୁ ଏ ବର୍ଷର ମର୍ଯ୍ୟାଦାଜନକ ‘ଗୋଦାବରୀଶ ସମ୍ମାନ’ ପ୍ରଦାନ କରାଯିବା ସହ କବିତା, ଗଳ୍ପ, ପ୍ରବନ୍ଧ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ କୃପାସାଗର ସାହୁ, ଶ୍ରୀ ଅଶ୍ୱିନୀ କୁମାର ମିଶ୍ର, ପ୍ରଫେସର ଶରତ ଚନ୍ଦ୍ର ରଥ, ଶ୍ରୀମତୀ ଇନ୍ଦିରା ଦାଶ, ଶ୍ରୀମତୀ ଅନିତା ରାୟ, ଶ୍ରୀ ପ୍ରିୟ ରଂଜନ ସାହୁ, ଓ ରାଉତରାୟ ମିନତି ଲେଙ୍କାଙ୍କୁ ସମ୍ମାନିତ କରାଯାଇଥିଲା ।
ମୁଖ୍ୟ ଅତିଥି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଗୋଦାବରୀଶଙ୍କ କାବ୍ୟାଦର୍ଶ ସଂପର୍କରେ ତାଙ୍କର ସୁଚିନ୍ତିତ ମତ ପ୍ରଦାନ କରିଥିବାବେଳେ ସମ୍ମାନିତ ଅତିଥି ଡକ୍ଟର ସଙ୍ଘମିତ୍ରା ମିଶ୍ର ଗୋଦାବରୀଶ ସାହିତ୍ୟ ଓ ଜୀବନୀ ଉପରେ ଆଲୋକପାତ କରିଥିଲେ ।
ମୁଖ୍ୟବକ୍ତା ଡକ୍ଟର ମୃତ୍ୟୁଞ୍ଜୟ ରଥ ଗୋଦାବରୀଶଙ୍କ ସାମଗ୍ରିକ କୃତି, ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ପଣ୍ଡିତ ଗୋଦାବରୀଶଙ୍କ ସ୍ଥାନ ସଂପର୍କରେ ସାରଗର୍ଭକ ଭାଷଣ ଦେବା ସହ ଗୋଦାବରୀଶ ସାହିତ୍ୟ ସଂସଦର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ମର୍ଯ୍ୟାଦାବନ୍ତ ଗୋଦାବରୀଶ ସମ୍ମାନରେ ସମ୍ମାନିତ ଡକ୍ଟର ଫନୀ ମହାଂତି ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ ।
ସଂସଦର ସଭାପତି ଶ୍ରୀରାଧାମୋହନ ମହାପାତ୍ର ଏହି ସଭାରେ ସଭାପତିତ୍ୱ କରି ତାଙ୍କର ଅଭିଭାଷଣ ଦେବାପରେ ସଂସଦର ଯୁଗ୍ମ ସଂପାଦକ ଶ୍ରୀ ମହିମାପ୍ରସାଦ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ସଂସଦର କୋଷାଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର କୁମାର ଦାସଙ୍କ ସମେତ ସମସ୍ତ ସଭ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ସମାରୋହରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସାହିତ୍ୟିକ ଓ ସାହିତ୍ୟାନୁରାଗୀ ଯୋଗ ଦେଇଥିଲେ ।
ସାହିତ୍ୟ ସଭା ଆରମ୍ଭ ପୂର୍ବରୁ କବିତା ପାଠୋତ୍ସବର ଆୟୋଜନ ହୋଇଥିଲା । ଏଥିରେ ଅତିଥି ଭାବେ ଶ୍ରୀ ଲାବଣ୍ୟ ଶବର ଓ ଶ୍ରୀ ଖଗେଶ୍ୱର ମହାତାବ ଯୋଗଦେଇଥିଲେ । ଶ୍ରୀମତୀ ଚମକ ଚାନ୍ଦିନୀ ଦାଶ ଓ ସନ୍ଧ୍ୟାରାଣୀ ପୃଷ୍ଠିଙ୍କ ସଂଯୋଜନାରେ ବହୁ କବି ସେମାନଙ୍କ କବିତା ପାଠ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା