
ଗାଜିଆବାଦ, ୨୬ ଅକ୍ଟୋବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗାଜିଆବାଦର ଇନ୍ଦିରାପୁରମରେ ଅତ୍ୟାଧୁନିକ ଯଶୋଦା ମେଡିସିଟି ହସ୍ପିଟାଲର ଉଦଘାଟନ କରିଛନ୍ତି । ଏହି ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ଟ୍ରାନ୍ସ-ହିଣ୍ଡନ୍ ଜୋନ୍ କୁ ନୋ-ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି । ରୁଟ୍ କୁ ମଧ୍ୟ ଡାଇଭର୍ଟ କରାଯାଇଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ପୂର୍ବାହ୍ନ ୧୧ଟା ୩୩ ସମୟରେ ଇନ୍ଦିରାପୁରମର ଶକ୍ତି ଖଣ୍ଡ ୨ରେ ଥିବା ଯଶୋଦା ମେଡିସିଟି ହସ୍ପିଟାଲ ପରିସରରେ ପହଂଚିଥିଲେ । ତାଙ୍କ ସହିତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ, ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ରାଷ୍ଟ୍ରପତି ମୁର୍ମୁ ଆନୁଷ୍ଠାନିକ ଭାବରେ ୧୨୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଯଶୋଦା ମେଡିସିଟି ହସ୍ପିଟାଲର ଉଦଘାଟନ କରିଛନ୍ତି । ମଂଚ ଉପରେ ପହଂଚିବା ପୂର୍ବରୁ, ରାଷ୍ଟ୍ରପତି ହସ୍ପିଟାଲ ଭ୍ରମଣ କରି ଆଧୁନିକ ଉପକରଣ ଏବଂ ଉନ୍ନତ ଚିକିତ୍ସା ସୁବିଧା ବାବଦରେ ଜାଣିଥିଲେ ।
ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ସକାଳେ ସଭାସ୍ଥଳରେ ପହଂଚିଥିଲେ । ସେ ସମସ୍ତ ପ୍ରସ୍ତୁତି ଯାଂଚ୍ କରିଥିଲେ । କାର୍ଯ୍ୟକ୍ରମ ପାଇଁ ଗତକାଲି ସନ୍ଧ୍ୟାରୁ କମାଣ୍ଡୋ ଏବଂ ସୁରକ୍ଷା ବାହିନୀ ସେଠାରେ ମୁତୟନ ହୋଇଛନ୍ତି । ଏହା ସହିତ, ସଭାସ୍ଥଳକୁ ଯିବା ରାସ୍ତାରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୨,୦୦୦ ରୁ ଅଧିକ ଯବାନଙ୍କୁ ନିୟୋଜିତ କରାଯାଇଛି । ସକାଳ ଠାରୁ, ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରି ଅନେକ ଥର ସଭାସ୍ଥଳ ଯାଂଚ୍ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ