
ଧର୍ମଶାଳା,୨୬ ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ନିକଟସ୍ଥ ଗୋକର୍ଣ୍ଣେଶ୍ୱର ମହାଦେବ ମନ୍ଦିର ପରିସରରେ ଗୋକର୍ଣ୍ଣିକା ସାହିତ୍ୟ ସମାଜର ୫୧ତମ ପ୍ରତିଷ୍ଠା ଦିବସ, ସମ୍ବର୍ଦ୍ଧନା ପର୍ବ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ସଭାପତି ଡ. ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଦ୍ଘାଟକ ଭାବେ ପ୍ରଫେସର ବିଜୟ କୁମାର ଶତପଥୀ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରି ରାଜ୍ୟରେ ବହୁ ନୂତନ ଲେଖକ ଲେଖିକା ସୃଷ୍ଟି କରିବାରେ ଗୋକର୍ଣ୍ଣିକା ସାହିତ୍ୟ ସମାଜର ଭୂମିକା ଅନସ୍ୱୀକାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ ଯୋଗଦେଇ ଓଡ଼ିଆ ସାହିତ୍ୟ ଜଗତରେ ଗୋକର୍ଣ୍ଣିକା ଏକ ସ୍ୱତନ୍ତ୍ର ସରଣୀ ସୃଷ୍ଟି କରିଛି । ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ, ପ୍ରାବନ୍ଧିକ ବୈକୁଣ୍ଠନାଥ ରଥଙ୍କ ପରି ବହୁ ସ୍ରଷ୍ଟାଙ୍କୁ ଏହିମାଟି ଜନ୍ମଦେଇଥିବାରୁ ଧର୍ମଶାଳା ସାହିତ୍ୟ ସଂସ୍କୃତିର ମାଟି ହୋଇଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଯୋଗଦେଇ ଗୋକର୍ଣ୍ଣିକା ନବୀନ, ତରୁଣ ଓ ପ୍ରବୀଣଙ୍କ ମିଳନପୀଠ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ଅଧ୍ୟାପକ ରମେଶ ଚନ୍ଦ୍ର ସିଂହ, ସାହିତ୍ୟିକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିିଆ, ଡକ୍ଟର ରବୀନ୍ଦ୍ର କୁମାର ବିହାରୀ, ଉତ୍କଳ ସାହିତ୍ୟ ସମାଜ ସଂପାଦକ ରାଜୀବ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ଔପନ୍ୟାସିକ ଡକ୍ଟର ଧରଣୀଧର ସାହୁଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଗବେଷଣା ପାଇଁ ପୂର୍ବତନ ସାଧାରଣ ସଂପାଦକ ଡକ୍ଟର ମହେଶ୍ୱର ପାଢ଼ୀ, ଉତ୍କଳ ସାହିତ୍ୟ ସମାଜର ନବନିର୍ବାଚିତ ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସଂପାଦକ ରାଜୀବ ଷଡ଼ଙ୍ଗୀ ଓ କାର୍ଯ୍ୟକାରୀ କମିଟି ସଦସ୍ୟ ଆଦିତ୍ୟ ପ୍ରତାପ ଧଳ, କୋଷାଧକ୍ଷ ଦୀଲ୍ଲିପ୍ କୁମାର ଦାସଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସାମ୍ବାଦିକ କପିଳେନ୍ଦ୍ର ରାଉତ ଓ କିଶୋର ରାଉତଙ୍କୁ ଗୋକର୍ଣ୍ଣିକା ସାମ୍ବାଦିକ ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନୁଷ୍ଠାନରେ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଥିବା ସଂସଦ ସମ୍ମାନ ଉପସଭାପତି ସଂଗ୍ରାମ କେଶରୀ ଜେନା, ହୃଷୀକେଶ ସାମଲ, ପୂର୍ବତନ ଉପସଭାପତି ବ୍ରଜକିଶୋର ଦାଶ, ସଂଗଠନ ସଂପାଦକ ପ୍ରତାପରୁଦ୍ର ପଣ୍ଡାଙ୍କୁ ମାନପତ୍ର ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପ୍ରଜ୍ଞାନ ପବ୍ଲିକେଶନ ପକ୍ଷରୁ ପ୍ରକାଶିତ ବିଜୟ କୁମାର ନାୟକଙ୍କ ପୁସ୍ତକ ‘ପ୍ରୀତିପୁଷ୍ପ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପୁସ୍ତକ ସଂପର୍କରେ ପ୍ରକାଶିକା ଶ୍ରୀମତୀ ଦାଶ ସୂଚନା ଦେଇଥିବା ବେଳେ ଗୋକର୍ଣ୍ଣିକା ସଂପାଦନା ମଣ୍ଡଳୀ ସଦସ୍ୟ ଡକ୍ଟର ତୁହିନାଂଶୁ ରଥ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକାରୀ ସଭାପତି ଡକ୍ଟର ରୁଦ୍ର ନାରାୟଣ ପୃଷ୍ଟି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦିକା ଡକ୍ଟର ଇନ୍ଦୁପ୍ରଭା ସାମଲ ସଂପାଦକୀୟ ବିବରଣୀ ପାଠ କରିଥିଲେ । ସହସଂପାଦକ ଗଣେଶ୍ୱର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ