ଭଦ୍ରକ, ୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ଥାନା ଅଧିନସ୍ତ ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକରେ ନିର୍ମାଣାଧୀନ ଓଭର ବ୍ରିଜ ରୁ ସ୍ଲାବ ଖସି ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା ରାଶି ୩ ଲକ୍ଷ ଘୋଷଣା କରାଯାଇଛି। ଏଥିସହିତ ସଂପୃକ୍ତ ଓଭର ବ୍ରିଜ କାମ ତୁରନ୍ତ ଶେଷ କରିବାକୁ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉ କି ଧାମନଗର ଥାନା ଅଧୀନ ବିଷ୍ଣୁପୁର ଛକ ନିକଟ ୧୬ ନମ୍ୱର ଜାତୀୟ ରାଜପଥ ରେ ବ୍ରିଜ କାମ ଚାଲି ଥିଲା ।ବସେଥିରେ କଂକ୍ରିଟ ସ୍ଲାବ ଖସି ପଡ଼ିବାରୁ ତଳେ ଯାଉଥିବା ଛାତ୍ରୀ ଙ୍କ ଉପରେ ପଡି ଯାଇ ଥିଲା ଫଳରେ ସେଠାରେ ତାର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ବେନ୍ତାଳିଆ ଗ୍ରାମର ଭଜ ମଲ୍ଲିକଙ୍କ ଝିଅ କବିତା ମଲ୍ଲିକ (୧୩) ବୋଲି ଜଣା ପଡିଛି। ଏହାପରେ ସ୍ଥାନୀୟ ଅଂଚଳର ଶତାଧିକ ଲୋକ ଉତ୍ୟକ୍ତ ହୋଇ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ। ଏଥିସହିତ ରାସ୍ତା ନିର୍ମାଣକାରୀ କମ୍ପାନିର ଜେସିବି ମେସିନକୁ ଜାଳି ଦେଇଥିଲେ। ୪ ଘଂଟାରୁ ଊର୍ଦ୍ଧ୍ୱ ସମୟ ଧରି ରାଜପଥ ଅବରୋଧ କରିବା ପରେ ଘଟଣାସ୍ଥଳକୁ ଉପ ଜିଲ୍ଲାପାଳ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇ ଥିଲେ। ଏଥିସହ ମୃତ ନାବାଳିକାଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଦେବା ପାଇଁ ଘୋଷଣା କରିଥିଲେ। ସେହିପରି ରେଡକ୍ରସ ପକ୍ଷରୁ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହାପରେ ରାସ୍ତାରୋକ ହଟିଥିଲା। ରାସ୍ତା କାମ ମାସେ ଭିତରେ ଶେଷ ନହେଲେ, ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଥିଲେ। ଖୁବ ଶୀଘ୍ର ସେଠାରେ ରାସ୍ତା କାର୍ଯ୍ୟ ଶେଷ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ସୁଚନା ଦେଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ