ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ଗୁରୁବାର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ଗଭୀର ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି । ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସଙ୍ଗଠନର ପ୍ରଦେଶ ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ୍, ଗୋପବନ୍ଧୁଙ୍କ ଆଦର୍ଶ ଓ ତ୍ୟାଗମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଉତ୍କଳମଣି ଗୋପବନ୍ଧୁ ଦାସ ସମାଜ ଓ ଜାତିର ସେବା ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ । ଏକ ଆଦର୍ଶ ହିନ୍ଦୁ ଜୀବନର ନିଦର୍ଶନ ଥିଲା ତାଙ୍କର ଜୀବନଶୈଳୀ । ଉତ୍କଳମଣିଙ୍କ ମହାନ୍ ବିଚାର —“ନିଜ ସ୍ୱାର୍ଥ ଲାଗି ଜାତ ନୁହେଁ ହିନ୍ଦୁ । ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ ।।” ଏହା ତାଙ୍କ ନିଜ ଜୀବନଶୈଳୀରେ ପ୍ରତିଫଳିତ ହୋଇଥିଲା । ଏ ବିଶାଳ ହିନ୍ଦୁ ଭୂଖଣ୍ଡର ଗୋଟିଏ ପ୍ରାନ୍ତରେ ଏକ ଗ୍ରାମୀଣ ପରିବେଶରେ ଜନ୍ମ ଗ୍ରହଣ କରିଥିଲେ ବି ତାଙ୍କର ଚିନ୍ତା ଚେତନା ବିଶ୍ୱମାନବ ପାଇଁ ଉତ୍ସର୍ଗୀକୃତ ଥିଲା । ନିଜର କର୍ମମୟ ଜୀବନ ଭିତରେ ଶିକ୍ଷାଦାନ ଜରିଆରେ ସମାଜରେ ଉତ୍କୃଷ୍ଟ ମାନବ ନିର୍ମାଣକୁ ସେ ଜୀବନର ଲକ୍ଷ୍ୟ କରି ନେଇଥିଲେ । ବକୁଳ ବନର ଗଛ ଛାଇ ତଳେ ପିଲାଙ୍କୁ ପାଠ ପଢ଼ାଇ ମୁକ୍ତ ପ୍ରାଙ୍ଗଣରେ ଶିକ୍ଷା ଗ୍ରହଣର ଏକ ଅନନ୍ୟ ଆଦର୍ଶ ପ୍ରତିଷ୍ଠା କରିଥିଲେ । ଇଂରେଜ ଶାସନ ବିରୋଧରେ ଆନ୍ଦୋଳନ କରି ଅନେକ ଥର କାରାବାସ ଭୋଗ କରିବା ସମୟରେ କାରାଗୃହରେ ଥାଇ କାରା କବିତା, ବନ୍ଦୀର ଆତ୍ମକଥା, ଧର୍ମପଦ, ଗୋ ମାହାତ୍ମ୍ୟ ଭଳି ଅନେକ କାବ୍ୟ କବିତା ରଚନା କରି ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲେ ମହାମାନବ ଗୋପବନ୍ଧୁ ଦାସ । କାର୍ଯ୍ୟକ୍ରମରେ ସଂଗଠନର କେନ୍ଦ୍ରୀୟ ପ୍ରକୋଷ୍ଠ ଉପାଧ୍ୟକ୍ଷ ଦୀନବନ୍ଧୁ ଷଡ଼ଙ୍ଗୀ, ଧୃବାନନ୍ଦ ବାରିକ, କୃତ୍ତିବାସ ରଥ, ଜଗବନ୍ଧୁ ସାହୁ , ରାମଚନ୍ଦ୍ର ପାତାଳସିଂ
ପଦ୍ମନାଭ ଦାଶଙ୍କ ସମେତ ଅନେକ ଶିକ୍ଷକ, ସମାଜସେବୀ, ଯୁବକ ଓ ମହିଳା ସଦସ୍ୟମାନେ ଅଂଶଗ୍ରହଣ କରି ଗୋପବନ୍ଧୁଙ୍କ ଆଦର୍ଶକୁ ଅନୁସରଣ କରି ସମାଜ ସେବାରେ ନିଜକୁ ନିୟୋଜିତ କରିବାକୁ ପ୍ରେରିତ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା