ଫୁଲବାଣୀରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ-“ସୁରଭି-୨୦୨୫’’
Block level surabhi festival in Phulbani
ଫୁଲବାଣୀରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ-“ସୁରଭି-୨୦୨୫’’


କନ୍ଧମାଳ, ୪ ନଭେମ୍ବର (ହି.ସ.)- ଫୁଲବାଣୀ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଫୁଲବାଣୀ ରଞ୍ଜନ କୁମାର କହଁରଙ୍କ ତତ୍ଵାବଧାନରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଫୁଲବାଣୀ ଓ ମିଳିତ ଶିକ୍ଷକ ସଂଘ, ଫୁଲବାଣୀ ବ୍ଲକର ମିଳିତ ଆନୁକୂଲ୍ୟରେ ଗତକାଲି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ-“ସୁରଭି-୨୦୨୫’’ ଆୟୋଜିତ ହୋଇଯାଇଛି । ୩୧ ଗୋଟି ପ୍ରତିଯୋଗିତାରେ ପ୍ରାୟ ୪୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୩୧ ଗୋଟି ପ୍ରତିଯୋଗିତାରେ ୩୬ ଜଣ ପ୍ରତିଯୋଗୀ ଏବଂ ସ୍ଵତନ୍ତ୍ର ପ୍ରତିଯୋଗିତାରେ ବେଳପଦର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦଳ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି । ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ବି.ଆର.ସି.ସି., ଫୁଲବାଣୀ ଧନେଶ୍ଵର କହଁର, ଏ.ବି.ଇ.ଓ, ଫୁଲବାଣୀ ସୀମାଦ୍ରି କହଁର, ଜିଲ୍ଲା ଶିକ୍ଷକ ସଂଘ ସଭାପତି ସନ୍ତୋଷ ଦିଗାଲ, ଫୁଲବାଣୀ ଶିକ୍ଷକ ସଂଘ ସଭାପତି ଦିନେଶ କୁମାର ବେହେରା, ଏନ.ପି.ଏସ୍ ଶିକ୍ଷକ ସଂଘ ସଭାପତି ସରୋଜ ସେଠୀ ଯୋଗଦେଇଥିଲେ ।

ସେହିପରି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଗଦାଧର ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ, ଫୁଲବାଣୀ ପୌରପରିଷଦ ସମରେଶ ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ସୌମ୍ୟରଂଜନ ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ ରଞ୍ଜନ ସ୍ଵାଇଁ ଯୋଗଦେଇଥିଲେ । ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସତ୍ୟସାଇ ଉଚ୍ଚ ବିଦ୍ୟାଳୟ ଓ ରୁଜାଙ୍ଗୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀଗଣ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଡାଙ୍ଗାଣୀକିଆ ଉଚ୍ଚ ବିଦ୍ୟାଳୟ ଓ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ଚଡ୍ ଚଡ଼ି ବାଦ୍ୟ ପରିବେଷଣ ସ୍ଵତନ୍ତ୍ର ଆକର୍ଷଣ ସାଜିଥିଲା । ସରୋଜକୁମାର ସେଠୀ, ଦୀପକ ମହାନ୍ତି, ଲଲାଟେନ୍ଦୁ ନାୟକ, ସରୋଜ ପାତ୍ର ଓ ରବୀନ୍ଦ୍ର ଦିଗାଲ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସଂଘର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଓ ଅବସରପ୍ରାପ୍ତ ଶିକ୍ଷକ ଗଣ ସମସ୍ତ ବ୍ୟବସ୍ଥାର ପରିଚାଳନା କରିଥିଲେ । ଏ.ବି.ଇ.ଓ., ଫୁଲବାଣୀ ସୀମାଦ୍ରି କହଁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗାଇଡ ଶିକ୍ଷକଶିକ୍ଷୟିତ୍ରୀ, ବିଦ୍ୟାଳୟ କମିଟିର ସଦସ୍ୟସଦସ୍ୟା, ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande