
ପୁରୀ, ୪ ନଭେମ୍ବର (ହି.ସ.)- କାର୍ତିକ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି । ଏହି ବେଶକୁ ଆଡ଼କିଆ ବେଶ ମଧ୍ୟ କୁହାଯାଇଥାଏ । ଶ୍ରୀଜୀଉଙ୍କ ଅବକାଶ ନୀତି ସମ୍ପନ୍ନ ହେବା ପରେ ଏହି ବେଶ ଅନୁଷ୍ଠିତ ହୋଇଛି । ବଲ୍ଲଭ, ବାଳଭୋଗ, ସକାଳ ଧୂପ ଓ ଭଅଣ୍ଡ ପର୍ଯ୍ୟନ୍ତ ଏହି ବେଶ ରହିଥିଲା । ପାଳିଆ ସେବାୟତ ମାନେ ଶ୍ରୀଜୀଉମାନଙ୍କୁ ଏହି ବେଶ କରିବା ସହ ଅନ୍ୟାନ୍ୟ ନୀତିକାନ୍ତି ଜାରି ରଖିଛନ୍ତି ।
ଏହି ବେଶରେ ସୁନାକିଆ ଡାଳି ଭଳି ଖଞ୍ଜାଯାଇଥିବାରୁ ଏହାର ଏପରି ନାମକରଣ ହୋଇଛି । ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କର ମସ୍ତକର ଶୀର୍ଷ ଭାଗରେ ଜରି, ବେତ କନାରେ ଦୁଇଟି ଡାଳି ଚୂଳ ସହିତ ଲାଗି ହୋଇଥିଲା । ଏହି ଡାଳି ଓ ଚୂଳରେ ସୋଲ ଜରିରେ ନିର୍ମିତ ଗୁଡ଼ିଏ ଫୁଲ ଧାଡ଼ି ଧାଡ଼ି କରି ଲଗାଯାଇଥିଲା । ତାହା ମଝିରେ ସୁବର୍ଣ୍ଣ କିଆ ଖୋସା ଯାଇଥିଲା । ସମଗ୍ର ବେଶକୁ ଧରି ରଖିଥିଲା ଶ୍ରୀମୁଖରେ ଦିଆଯାଇଥିବା ଗୋଟିଏ ଗୋଟିଏ ବଳା । ଅନ୍ୟାନ୍ୟ ବେଶରେ ବ୍ୟବହାର କରାଯାଉଥିବା ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟ ଏହି ବେଶରେ ଲାଗି ହୋଇଥିଲା । ଡାଳିକିଆ ବେଶରେ ଶ୍ରୀଜୀଉଙ୍କୁ ମାଳି, ପଦକ ମାଳି ଓ ତାବିଜ ମାଳି ଲାଗି ହୋଇଥିଲା । ଶ୍ରୀଭୁଜ ଓ ଶ୍ରୀପୟର ମଧ୍ୟ ଲାଗି ହୋଇଥିଲା । ଆୟୁଧ ଶଙ୍ଖ, ଚକ୍ର, ହଳ, ମୂଷଳ ମଧ୍ୟ ଲାଗି ହୋଇଥିଲା । ଦେବୀ ସୁଭଦ୍ରା ମଧ୍ୟ ଏହି ବେଶରେ ଅନେକ ସୁନା ଅଳଙ୍କାରରେ ଆଭୂଷିତ ହୋଇଥିଲେ । ଦେବୀଙ୍କର ଶିରରେ ସୁନାର କିରୀଟ ଶୋଭାପାଉଥିଲା । ଶ୍ରୀଜଗନ୍ନାଥଙ୍କର ଏହି ବେଶ ମହାପ୍ରଭୁଙ୍କୁ ନୃସିଂହ ଭାବରେ ପ୍ରମାଣିତ କରେ ।
ସ୍କନ୍ଧ ପୁରାଣ ଅନୁସାରେ, ମହାପ୍ରଭୁ ପ୍ରଥମେ ନୃସିଂହ ରୂପରେ ଦେଖା ଦେଇଥିଲେ । ତାଙ୍କର ନବକଳେବରରେ ସମସ୍ତ କାର୍ଯ୍ୟ ନୃସିଂହ ମନ୍ତ୍ରରେ କରାଯାଏ । ବସ୍ତୁତଃ ଜଗନ୍ନାଥ ହିଁ ନୃସିଂହ - ଏହି ପ୍ରଥା ପ୍ରଦର୍ଶନ ପାଇଁ ଏହି ବେଶ କରାଯାଏ । ହଜାର ହଜାର ସଂଖ୍ୟାରେ ହବିଷ୍ୟାଳି ଆଜି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିଛନ୍ତି । ଏଥି ସହିତ କାର୍ତିକ ବ୍ରତ ଆସନ୍ତାକାଲି ସମାପନ ହେଉଥିବାରୁ ହବିଷ୍ୟାଳୀ ମାନଙ୍କ ଘରବାହୁଡ଼ା ପାଇଁ ସେମାନଙ୍କ ସମ୍ପର୍କୀୟ ପୁରୀରେ ପହଂଚିବା ସହ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଂଚୁକରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ରେ ଧାଡିରେ ଯାଇ ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରବେଶ ପୂର୍ବକ ଦର୍ଶନ ଓ ବେଢ଼ା ପରିକ୍ରମା ପରେ ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । ଆସନ୍ତାକାଲି କାର୍ତିକ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତିଙ୍କ ରାଜରାଜେଶ୍ୱର ବେଶ ତଥା ସୁନାବେଶ ଅନୁଷ୍ଠିତ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ