
ଜୟପୁର, ୧୭ ଡିସେମ୍ବର (ହି.ସ.) - ଜଗନ୍ନାଥ ସାଗର ସୌନ୍ଦର୍ଯ୍ୟକରଣ ନିମନ୍ତେ ପୌରପାଳିକା ପକ୍ଷରୁ ପଦକ୍ଷେପ ନିଆଯାଉଥିବା ବେଳେ ଜଗନ୍ନାଥ ସାଗର କୂଳକୁ ଲାଗିଥିବା ୧୬ଟି ଦୋକାନ ଗୁଡିକୁ ପୌରପାଳିକା ପକ୍ଷରୁ ୭ଦିନ ମଧ୍ୟରେ ଖାଲି କରିବାକୁ ନୋଟିସ ଦିଆଯାଇଛି। ସ୍ଥାନୀୟ ଦୈନିକ ବଜାର ନିକଟରେ ଥିବା ୧୬ଟି ଷ୍ଟଲ ଗୁଡିକୁ ପୌରପାଳିକା ପକ୍ଷରୁ ୭ଦିନ ମଧ୍ୟରେ ଖାଲି କରିବାକୁ ନୋଟିସ ଦିଆଯିବା ସହ ନିୟମିତ ଭାବେ ଯେଉଁ ଦୋକାନ ମାଲିକ ଷ୍ଟଲ ପାଉଣା ପୈଠ କରୁଛନ୍ତି ସେମାନଙ୍କୁ ନିକଟରେ ହୋଇଥିବା ଷ୍ଟଲ ଗୁଡିକରେ ଥଇଥାନ କରାଯିବ। ଏବଂ ଜବରଦଖଲ କରି ଷ୍ଟଲ ପକାଇଥିବା ଦୋକାନ ଗୁଡିକୁ ହଟାଇ ଦିଆଯିବ। ପୌରପାଳିକାର ନୋଟିସ ପାଇବା ପରେ ଦୋକାନ ମାଲିକ ମାନେ ଅବାକ ହୋଇଯାଇଛନ୍ତି। ପ୍ରଶାସନ ଜାଣିଶୁଣି ସେମାନଙ୍କୁ ହଟାଉଛି ବୋଲି କହିବା ସହ ସେମାନେ କିପରି ଚଳିବେ ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଦେଖିବାକୁ ଗଲେ ଦ୍ୱିତୀୟ ଦୈନିକ ବଜାର ଛକରେ ଦୋକାନ ଗୁଡିକ ଥିବା ଯୋଗୁଁ ସେଠାରେ ବସ ଗୁଡିକ ରହୁଛି। ଯାହା ଫଳରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି