
ଭୁବନେଶ୍ୱର, 17 ଡିସେମ୍ବର (ହି.ସ.) ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ସରକାରୀ ବାସଭବନ କନ୍ଫରେନ୍ସ ହଲରେ ଏମ୍ସ ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାସ୍ତା ଓ ସମ୍ପର୍କିତ ଆଧାରଭୂତ ସୁବିଧା ଉନ୍ନୟନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବାବଦରେ ସମୀକ୍ଷା ବୈଠକ କରିଛନ୍ତି।
ଏହି ବୈଠକରେ ଏନଏଚ୍–୧୬ ଠାରୁ ଏମ୍ସ ଭୁବନେଶ୍ୱର ପର୍ଯ୍ୟନ୍ତ ୩-ଲେନ ବିଶିଷ୍ଟ ରାସ୍ତା ନିର୍ମାଣ, ଖଣ୍ଡଗିରି ଫ୍ଲାଏଓଭର ଠାରୁ ଡୁମଡୁମା ଅଣ୍ଡରପାସ ପର୍ଯ୍ୟନ୍ତ ସର୍ଭିସ ରୋଡ଼ର ପ୍ରଶସ୍ତିକରଣ, ଏମ୍ସର ସ୍ୱରେଜ ବ୍ୟବସ୍ଥା, ଏବଂ ଏମ୍ସ ପରିସର ଭିତରେ ଓ ଚାରିପାଖ ରାସ୍ତାର ଉନ୍ନୟନ ଓ ଆଲୋକୀକରଣ ସହିତ ସମ୍ପୃକ୍ତ ବିଷୟ ଉପରେ ଆଲୋଚନା ହୋଇଥିଲା।
ଏହା ସହିତ ରୋଗୀ ଓ ସାଧାରଣ ଜନତାଙ୍କ ସୁଗମ ଯାତାୟାତ ପାଇଁ ଟ୍ରାଫିକ ବ୍ୟବସ୍ଥା, ସିସିଟିଭି ସୁବିଧା, ଆଳୁ ଗଦି ଜଙ୍କସନ ଠାରୁ ଏମ୍ସ ପର୍ଯ୍ୟନ୍ତ ଅବୈଧ ଜବରଦଖଲ ଉଚ୍ଛେଦ, ଏବଂ ଭେଣ୍ଡିଂ ଜୋନ ବ୍ୟବସ୍ଥା ନେଇ ମଧ୍ୟ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ବୈଠକରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ଏନଏଚଆଇ ର ରିଜିଓନାଲ ଅଫିସର ଶ୍ରୀ ବୀରେନ୍ଦ୍ର ସିଂ, ଏମ୍ସ ସୁପରିଣ୍ଟେଣ୍ଡେଣ୍ଟ ଡ଼. ଦିଲୀପ ପରିଡ଼ା, ଉପଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ସାହୁ, ବିଏମସି ଆଡିସନାଲ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ବିଏମସି ଏକ୍ସିକ୍ୟୁଟିଭ ଇଞ୍ଜିନିଅର ଶ୍ରୀ ସରୋଜ ମହାପାତ୍ର, ପୂର୍ତ୍ତ ବିଭାଗ ଇଆଇସି ଶ୍ରୀ ସତ୍ୟବ୍ରତ ବେହେରା, ଚିଫ୍ ଇଞ୍ଜିନିଅର (ରାସ୍ତା) ଶ୍ରୀ ଧ୍ୟାନଚାନ୍ଦ ନାୟକ, ସୁପରିଣ୍ଟେଣ୍ଡିଂ ଇଞ୍ଜିନିଅର (ଡିଭିଜନ–୨) ଶ୍ରୀ ସଚିନ ସାହୁ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ସୀମାରେ ଉଚ୍ଚ ଗୁଣମାନ ସହ ସମ୍ପୂର୍ଣ୍ଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ