ଶିଳ୍ପାୟନ ସ୍ୱପ୍ନ ବେଶୀ, ସତ କମ୍: ବିଜେଡି
ଭୁବନେଶ୍ୱର , 22 ଡିସେମ୍ବର (ହି.ସ.) ରାଜ୍ୟରେ ଶିଳ୍ପର ଉନ୍ନତି କରିବା ନିମନ୍ତେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ପାଣି ଭଳି ବ୍ୟୟ କରି ଦେଶ ବିଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ପୁଞ୍ଜି ଆଣୁଛନ୍ତି ବୋଲି ଡିଣ୍ଡିମ ପିଟୁଥିଲା ବେଳେ ବାସ୍ତବ ଚି
ଶିଳ୍ପାୟନ ସ୍ୱପ୍ନ ବେଶୀ, ସତ କମ୍: ବିଜେଡି


ଭୁବନେଶ୍ୱର , 22 ଡିସେମ୍ବର (ହି.ସ.)

ରାଜ୍ୟରେ ଶିଳ୍ପର ଉନ୍ନତି କରିବା ନିମନ୍ତେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ପାଣି ଭଳି ବ୍ୟୟ କରି ଦେଶ ବିଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ପୁଞ୍ଜି ଆଣୁଛନ୍ତି ବୋଲି ଡିଣ୍ଡିମ ପିଟୁଥିଲା ବେଳେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା ବୋଲି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି ।

ଆଜି ଏକ ପ୍ରେସ ବିଜ୍ଞପ୍ତିରେ ବିଜେଡି ମୁଖାପତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ୍ ମହାନ୍ତି କହିଛନ୍ତି ଯେ, ଏହି କଥାକୁହା ବିଜେପି ସରକାର ଶିଳ୍ପାୟନ ବାବଦରେ ବଡ ବଡ ବାହାସ୍ଫୋଟ ମାରୁଥିଲେ ମଧ୍ୟ ଜେଏସ୍ଡବ୍ଲୁ୍ୟ ଗ୍ରୁପ୍ ଇଭି ବ୍ୟାଟେରୀ ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପ ମହାରାଷ୍ଟ୍ରକୁ ସ୍ଥାନାନ୍ତର ହୋଇଥିଲା ବେଳେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ୧ ଲକ୍ଷ କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପ କେନ୍ଦ୍ରାପଡାରୁ ଆନ୍ଧ୍ର ପ୍ରଦେଶକୁ ସ୍ଥାନାନ୍ତର ହୋଇଛି । ସେହିପରି ଏସ୍.ରାମ, ଏନ୍.ରାମ ସେମିକଣ୍ଡକ୍ଟର ପ୍ରକଳ୍ପ ଓ ୱାରି ସୋଲାର ପ୍ରକଳ୍ପ ମଧ୍ୟ ଓଡିଶା ଛାଡି ଚାଲିଯାଇଛନ୍ତି । ଏ ସରକାର ଶିଳ୍ପାୟନ ନାମରେ ଜନସାଧାରଣଙ୍କୁ ଭୂଆଁ ବୁଲାଉଛି ।

ଡବଲ ଇଂଜିନ ସରକାର ଡବଲ ବିକାଶର ନାରା ଦେଇ ସରକାରକୁ ଆସିଥିଲା ବେଳେ କେନ୍ଦ୍ରୀୟ ଅନୁଦାନ ୧୮.୧୯ ପ୍ରତିଶତ କମିଥିଲା ବେଳେ ଅଭିବୃଦ୍ଧି ହାର ୯.୬ ପ୍ରତିଶତରୁ ୭.୨ ପ୍ରତିଶତକୁ ଖସିଛି । ଶିଳ୍ପ ଅଭିବୃଦ୍ଧି ହାର ୮.୭ ପ୍ରତିଶତରୁ ୬.୧ ପ୍ରତିଶତକୁ ଖସି ଆସିଛି । ଅନ୍ୟପଟେ ରାଜ୍ୟରେ ବେକାରୀ ହାର ମଧ୍ୟ ୩.୯ ପ୍ରତିଶତକୁ ବୃଦ୍ଧି ପାଇଥିଲା ବେଳେ ରାଜ୍ୟ ସରକାର ଜନସାଧାରଣଙ୍କୁ ମିଛ ସ୍ୱପ୍ନ ବାଣ୍ଟୁଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ସୃଷ୍ଟି ହୋଇଥିବା ପ୍ରୋ-ଇନ୍ଭେଷ୍ଟମେଣ୍ଟ ଇକୋ ସିଷ୍ଟମକୁ ବିଜେପି ଦଳ କ୍ଷମତାକୁ ଆସିବା ପରେ ରାଜନୈତିକ ହସ୍ତକ୍ଷେପ ଦ୍ୱାରା ସଂପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି । ବିଜେଡି ସରକାର ସମୟରେ ଉଦ୍ୟୋଗୀ ସପ୍ତାହ ପରି ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଉଦେ୍ଦଶ୍ୟମୂଳକ ଭାବେ ବିଜେପି ସରକାର ବନ୍ଦ କରିଛି, ଯାହା ଏମ୍ଏସ୍ଏମ୍ଇ, ନୂତନ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ ମାନଙ୍କୁ ଉତ୍ସାହିତ କରୁଥିଲା । ବିଜେଡି ସରକାର ସମୟରେ ମେକ୍ ଇନ୍ ଓଡିଶାର ୩ ଗୋଟି ସଂସ୍କରଣରେ ୧୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଯାହାକୁ ଏ ସରକାର କାର୍ଯ୍ୟନ୍ୱୟନ କରିବାରେ ବିଫଳ ହୋଇଛି । ୨୦୧୫ରୁ ୨୦୨୪ ମଧ୍ୟରେ ଓଡିଶା ଭାରତବର୍ଷରେ ସବୁଠାରୁ ଅଧିକ ଶିଳ୍ପ ଅଭିବୃଦ୍ଧି କରିଥିଲା । ରାଜ୍ୟରେ ସଫଳ ଶିଳ୍ପାୟନ ଯୋଗୁଁ ଜିଡିପିରେ ୫୧ ପ୍ରତିଶତ ଭାଗୀଦାରି ଥିଲା । ସେହିପରି ବିଜେଡି ସରକାର ସମୟରେ ୧୭ ଲକ୍ଷ ଏମ୍ଏସ୍ଏମ୍ଇ ୟୁନିଟ୍ ପ୍ରତିଷ୍ଠା କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଶିଳ୍ପାୟନ ଓ ପୁଞ୍ଜି ନିବେଶ ନିମନ୍ତେ ସ୍ୱତନ୍ତ୍ର ପଲିସି ଅଣାଯାଇଥିଲା ବୋଲି ଡ଼ ମହାନ୍ତି କହିଥିଲେ ।

ବିଜେପି ସରକାର ଶିଳ୍ପ ଓ ପୁଞ୍ଜି ନିବେଶ କ୍ଷେତ୍ରରେ ପ୍ରଚାର ସର୍ବସ୍ୱ ନହୋଇ ବାସ୍ତବତା ଉପରେ କାର୍ଯ୍ୟ କରନ୍ତୁ, ଯାହା ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବ । ଯଦି ଏ ସରକାର ଶିଳ୍ପାୟନ ନାଁରେ ଓଡିଶା ରତ୍ନଗର୍ଭକୁ ଲୁଟ୍ କରିବାକୁ ଯୋଜନା କରେ ତାହାକୁ ବିଜୁ ଜନତା ଦଳ କେବେ କରିବାକୁ ଦେବ ନାହିଁ ବୋଲି ଡ଼ ମହାନ୍ତି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande