
ସମ୍ବଲପୁର, ୨୨, ଡିସେମ୍ବର (ହି.ସ) - ସମ୍ୱଲପୁର ଜିଲ୍ଲା ବୁର୍ଲା ସହରରେ ଦୀର୍ଘ ଦିନରୁ ଚାଲି ଆସୁଥିବା ଏକ ବେଆଇନ ଗୋମାଂସ କାରବାରର ପର୍ଦ୍ଧାଫାସ ହୋଇଛି । ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ସ୍ଥାନୀୟ କିଛି ଗୋସୁରକ୍ଷା କର୍ମୀ ଧରି ରବିବାର ପୋଲିସ ଜିମା ଦେଇଛନ୍ତି । ଏହାକୁ ନେଇ ବଜରଙ୍ଗ ଦଳ, ସେବାକୁଞ୍ଜ, ହିନ୍ଦୁ ବାହିନୀ ର ପ୍ରମୁଖ ଗୋସୁରକ୍ଷା କର୍ମୀଙ୍କ ଏତଲା କ୍ରମେ ବୁର୍ଲା ଥାନାର ୫୮୨/୨୫ରେ ଏକ ମାମଲା ରୁଜୁ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ବୁର୍ଲାଥାନା ଅନ୍ତର୍ଗତ ମହତାବ ନଗରର ବିରାଜ ହର(୪୦) ଓ ତା' ସହଯୋଗୀ ତିଅରପଡ଼ାର ପୁରୋହିତ ଲୁହା(୩୬) । ଘଟଣାରେ ପାଖାପାଖି ଶହେ କେଜି ଗୋମାଂସ ଜବତ ହୋଇଛି । ଆଜି ଉଭୟଙ୍କୁ ପୋଲିସ କୋର୍ଟ ଚାଳଣ କରିଛି । ମିଳିଥିବା ସୂଚନା, ଅନୁସାରେ ବୁର୍ଲାରେ ବ୍ୟପାକ ଭାବେ ବେଆଇନ୍ ଗୋମାଂସ କାରବାର ଚାଲିଥିବା ଖବର ପାଇ ସେବାକୁଞ୍ଜ, ବଜରଙ୍ଗଦଳ ଓ ହିନ୍ଦୁ ବାହିନୀ ର କର୍ମକର୍ତ୍ତାମାନେ ସ୍ଥାନୀୟ ଲୋକଙ୍କ ସହିତ ମହତାବ ନବଗରେ ଦୁଇଟି ସରକାରୀ କ୍ୱାଟରକୁ ଜବରଦଖଲ କରି ରହୁଥିବା ଅଭିଯୁକ୍ତ ଦ୍ୱୟଙ୍କ ଘରେ ଅତର୍କିତ ଚଢ଼ାଉ କରି ଗୋମାଂସ ଜବତ କରିଥିଲେ । ଏପରିକି ଘରର ଡିଫ ଫ୍ରିଜ ରେ ଏବଂ ଦୁଇଟି ବ୍ୟାଗରେ ବିକ୍ରି ପାଇଁ ମଧ୍ୟ ଛୋଟ ଛୋଟ ସାଇଜ ରେ ମାଂସ କଟାଯାଇ ପଲିଥିନରେ ବୁଝୁଳା ବୁଝୂଳା କରି ବନ୍ଧା ଯାଇଥିବା ଗୋମାଂସକୁ ଜବତ କରିଥିଲେ । ଏପରିକି ଓଜନ କରିବା ପାଇଁ ମେସିନ, କଟିବା ପାଇଁ ଫର୍ସା, କଟୁରୀ ଜବତ ହୋଇଛି। ତେବେ ସେମାନେ ବୁର୍ଲା ମହତାବ ନଗରରେ ଖାଲିଥିବା ସରକାରୀ କ୍ୱାର୍ଟରକୁ ଜବତ ଦଖଲରେ ରଖି ଏଠାରେ ଦୀର୍ଘ ବର୍ଷ ହେଲା ଏହି ବେଆଇନ୍ କାରବାର କରି ଆସୁଛନ୍ତି ବୋଲି ଗୋସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଅଭିଯୁକ୍ତ ଜଣକ ମୋତିଝରଣରୁ ଗୋମାଂସ ଆଣି ଏଠାରେ ବିକ୍ରୟ କରୁଥିଲେ ବୋଲି ସ୍ୱୀକାର କରିଥିବା ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ