

ସମ୍ବଲପୁର, ୨୩, ଡିସେମ୍ବର (ହି.ସ.)
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଉଚ୍ଚକାପାଟ ଧାନ ମଣ୍ଡିରେ ଧାନ କ୍ରୟ ହେଉ ନ ଥିବାରୁ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନା ଅନୁସାରେ ଗତମାସ ୨୮ ତାରିଖରୁ ମଣ୍ଡି ଆରମ୍ଭ ପାଇଁ ନିର୍ଦ୍ଦେଶ ରହିଥିଲା।ଧାର୍ଯ୍ୟ ଦିନ ଅନୁସାରେ ଉଚ୍ଚକପାଟ ମଣ୍ଡି ତିନି ଡିସେମ୍ବର ବୁଧବାରରୁ ଆରମ୍ଭ ହୋଇଥିଲା। ତେବେ ଆଜି ପର୍ଯ୍ୟନ୍ତ କୌଣସି ଚାଷୀଙ୍କ ଧାନ କୌଣସି ମିଲର ଦ୍ଵାରା କ୍ରୟ ନ ହୋଇ ଖୋଲା ମଣ୍ଡିରେ ପଡ଼ି ରହିଛି। ଏ ନେଇ ଚାଷୀ ଅଭିଯୋଗ କରିବାପରେ ମଧ୍ୟ ପ୍ରଶାସନ, ମିଲର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି।ଚାଷୀଙ୍କ ଅଭିଯୋଗ ଅନୁସାରେ ମିଲର ଚାଷୀଙ୍କ ଚାରିରୁ ପାଞ୍ଚ କେଜି ପ୍ରତି କ୍ଵିଣ୍ଟାଲ ଧାନ କଟନି ଛଟନି କରି କିଣିବାକୁ କହୁଥିବାବେଳେ ଚାଷୀ ରାଜି ହେଉ ନାହାନ୍ତି | ବର୍ତ୍ତମାନ ୧୦୩ ଚାଷୀ ଙ୍କର ୮୮୪୩ ବସ୍ତା ଧାନ ଖୋଲା ମଣ୍ଡିରେ ପଡ଼ି ରହିଛି | ସାତ ଦିନ ଭିତରେ ଧାନ କ୍ରୟ ନ ହେଲେ ଅନେକ ଚାଷୀଙ୍କ ଟୋକନ ଲେପ୍ସ ହୋଇଯିବ।ତେଣୁ ଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ଚାଷୀ ନେତା ଯୋଗବିହାରି ପରିଡ଼ା, ଆଲୋକ ଚୌଧୁରୀ, ମିତ୍ରଭାନୁ କେଛୁ, ସରପଞ୍ଚ ସୁବନ୍ତି କେଛୁ, ବିକାଶ ଚୌଧୁରୀ ଏବଂ ଅନ୍ୟ ସମସ୍ତ ଚାଷୀ ଦାବି ଜଣାଇଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ