
ମାଲକାନଗିରି, ୨୫ ଡିସେମ୍ବର (ହି.ସ.) ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମହାନ୍ ଜନନାୟକ ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଯଶ୍ବସୀ କବି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳନ ସହିତ ସୁଶାସନ ଦିବସ ଓ କବିତା ପାଠୋତ୍ସବ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳେଇ, ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ,ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଅଧ୍ୟାପକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ, ସରୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଦେଶର ବିକାଶରେ ସୁଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏନେଇ ସଚେତନତା ସୃଷ୍ଟି ଲାଗି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ୨୫ ଡିସେମ୍ବରକୁ ଭାରତରେ ପ୍ରତିବର୍ଷ ସୁଶାସନ ଦିବସ ପାଳନ କରାଯାଉଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଅଟଳ ବିହାରୀ ବାଜପେୟୀ ଭାରତୀୟ ରାଜନୀତିର କାଳଜୟୀ ଅଜାତଶତ୍ରୁ। ସାଇନିଂ ଇଣ୍ଡିଆର ସ୍ରଷ୍ଟା, ଦକ୍ଷ ସୁଦୃଢ ପ୍ରଶାସକ ଭାରତର ସଫଳ ଓ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ । ଅପରେସନ ଶକ୍ତିର ସେନାପତି । ସ୍ଵର୍ଣ୍ଣଚତୁର୍ଭୁଜର ଶିଳ୍ପୀକାର। ତାଙ୍କର ଦକ୍ଷତା ନେତୃତ୍ଵ ଓ ସୁଶାସନକୁ ମର୍ମେ ମର୍ମେ ଅନୁଭବ କରିଥିଲେ ଦେଶବାସୀ। ୧୯୨୪ ମସିହା ଆଜିର ଦିନରେ ମଧ୍ୟ ପ୍ରଦେଶ ଗ୍ଵାଲିୟରରେ ଜନ୍ମ ଗ୍ରହଣ କରିଥିଲେ ବାଜପେୟୀ ।ଭାରତୀୟ ରାଜନୀତିର ଏହି ଧ୍ରୁବ ତାରାଙ୍କ ଦେଶପ୍ରତି ଅବଦାନ ଅତୁଳନୀୟ l ତାଙ୍କ ଦେଶପ୍ରତି ସେବା ସମର୍ପଣ, ନିଷ୍ଠା ଦେଶ ନିର୍ମାଣରେ ଶ୍ରେଷ୍ଠ ଅବଦାନ ପାଇଁ କୃତଜ୍ଞ ରାଷ୍ଟ୍ର ତରଫରୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରିଛନ୍ତି କେନ୍ଦ୍ର ସରକାର । ଆଜି ଅଟଳ ନାହାଁନ୍ତି ସତ । କିନ୍ତୁ ତାଙ୍କ ପ୍ରେରଣା, ପରାମର୍ଶ, ମାର୍ଗଦର୍ଶନ ଆର୍ଶିବାଦ ସବୁଦିନ ପାଇଁ ଦେଶର ସମ୍ପଦ ହୋଇ ରହିବ ବୋଲି ଅତିଥି ମାନେ କହିଛନ୍ତି। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ କବି ମାନେ କବିତା ପାଠୋତ୍ସବ କରିଥିଲେ। ବିଭିନ୍ନ ବିଦ୍ୟାଳୟ ମହା ବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ କର୍ମଚାରୀ ହରେକୃଷ୍ଣ କୀର୍ତ୍ତନିଆ ଓ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟ ନାରାୟଣ କଲେଜ୍, ଘଡେଇ କଲେଜ୍ ଓ ଆଓମା ଗୁରୁକୁଳ ଅନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ