
ମାଲକାନଗିରି, ୨୮ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତ ଏବଂ କୋଇମେଟଲା ପଞ୍ଚାୟତ ଅଞ୍ଚଳରେ ଏବେ ଭାଲୁର ଆତଙ୍କ ଦେଖାଦେଇଛି । ରାତି ପାହିଲେ ଗାଁକୁ ଚାଲିଆସୁଛନ୍ତି ଭାଲୁ । ସପ୍ତାହ ହେବ ଭାଲୁ ଗାଁ ଭିତରେ ଆସିବା ସହ ଘରେ ଘରେ ପଶୁଛି । ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । କିଛି କିଛି ଦିନ ବ୍ୟବଧାନ ପରେ ଭାଲୁର ସ୍ଥିତି ଦୃଶ୍ୟମାନ ହେଉଥିବା ବେଳେ ପ୍ରାଣ ଭୟରେ ଲୋକେ ରାତିରେ ଘରୁ ବାହାରି ପାରୁ ନାହାନ୍ତି । ଶନିବାର ମଧ୍ୟ ରାତ୍ରରେ ଏମଭି -୬୫ ଗ୍ରାମରେ ଭାଲୁ ଚଳପ୍ରଚଳ କରୁଥିବାର ଭିଡ଼ିଓ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଲଗାଯାଇଥିବା ସିସି କ୍ୟାମେରାରେ କଏଦ ହୋଇଥିଲା । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଜଙ୍ଗଲ ବିଭାଗ ଠିକ ସମୟରେ ସଜାଗ ନ ହେଲେ ଅନେକ ଜୀବନ ହାନି ହେବାର ଆଶଙ୍କା ରହିଛି । ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ