
କନ୍ଧମାଳ, ୨୯ ଡିସେମ୍ବର(ହି.ସ.) – ଗତ କିଛି ଦିନ ହେଲା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରବଳ ଜାଡ଼ ସହ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି। ସକାଳ ଦଶଟା ଯାଏଁ କୁହୁଡି ରହୁଛି। ଫଳରେ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି। ରାସ୍ତା ଘାଟ ଖାଁ ଖାଁ। ସେପଟେ ସଞ୍ଜ ନଇଁବା ପୁର୍ବରୁ ଥଣ୍ଡା ପବନ ମାଡ଼ି ଆସୁଛି। ଫଳରେ ବଜାର ଶୁନ ଶାନ୍ । ବ୍ୟବସାୟ ବି ମାନ୍ଦା ହେଉଥିବା ବ୍ୟବସାୟୀ କହିଛନ୍ତି। ସୋମବାର ତାପମାତ୍ରା ଜୀ ଉଦୟଗିରୀରେ ସର୍ବନିମ୍ନ ୩.୬ ଡିଗ୍ରୀ ସେଲସିୟସ ରହିଥିବାବେଳେ ଫୁଲବାଣୀରେ ୫.୫ ଓ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ ରହିଛି। ପରିଣାମ ସ୍ୱରୂପ ଏହି ତିନିଟି ସ୍ଥାନ ସମେତ ସମଗ୍ର ଜିଲ୍ଲାରେ ଭୀଷଣ ଶୀତ ଅନୁଭୂତ ହେଉଛି। ଏପରିକି ଦେହରେ ଛୁଂଚି ଫୋଡ଼ି ହେବା ଭଳି ଅନୁଭୂତ ହେଉଛି ବୋଲି ଲୋକେ କହୁଛନ୍ତି। ଏଥିପାଇଁ ସଂନ୍ଧ୍ୟା ୬ଟା ପରେ ଅଧିକାଂଶ ଲୋକେ ଘରୁ ବାହାରକୁ ବାହାରିବା ବନ୍ଦ କରି ଦେଉଛନ୍ତି। ରାସ୍ତା କଡ଼ରେ ନିଆଁ ଲଗାଇ ଲୋକେ ଶୀତ ଦାଉରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି।
ଅନ୍ୟପଟରେ, ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ସବୁଜ ସୁନ୍ଦର ସବୁଜିମା ପରିବେଶର ଭରପୁର ଆନନ୍ଦ ନେଉଛନ୍ତି ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକ। ସେହିପରି ଶୀତ ଦିନରେ କନ୍ଧମାଳର ପ୍ରାକୃତିକ ସୁନ୍ଦର ଅହୁରି ବଢିଯାଏ। କନ୍ଧମାଳର ଘଂଚ ଜଙ୍ଗଲ ଓ ପ୍ରାକୃତିକ ପରିବେଶ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଜିଲାର ଥିବା ପୂତୁଡ଼ି, ପକଡ଼ା ଝର ଉର୍ମା ଗଡ଼, ମଣ୍ଡାସୂର, ଦାରିଂବାଡ଼ି, ଜି ଉଦୟଗିରୀ, ଲୁଦୁ ବେଲଘର, ଆଦି ବିଭିନ୍ନ ସୁନ୍ଦର ଓ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀମାନ ରହିଛି। ଫଳରେ ଏହା ପର୍ଯ୍ୟଟକମାନଙ୍କୁ ବେଶ ଆକର୍ଷଣ କରୁଛି। ଫଳରେ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବାହାର କରି କନ୍ଧମାଳ ଜିଲ୍ଲାର ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବା ପାଇଁ ଧାଇଁ ଆସନ୍ତି ପର୍ଯ୍ୟଟକ।
ହେଲେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବା ପାଇଁ ପିଲାଠୁ ବୁଢ଼ା ଯାଏଁ ନିଆଁ ଲଗାଇ ନିଆଁ ପାଖରେ ବସି ରହୁଛନ୍ତି। ତେବେ ଏହି ଥଣ୍ଡା କାହାପାଇଁ ଖୁସି ଆଣିଦିଏ ତ ଆଉ କାହା ପାଇଁ ଦୁଃଖ। ସେ ଯାହା ହେଉନା କାହିଁକି ଜିଲ୍ଲାରେ ଥିବା ପର୍ଯଟନ ସ୍ଥଳର ବିକାଶ କରିବା ସହ ପ୍ରଚାର ପ୍ରସାର ହୋଇପାରିଲେ ଜିଲ୍ଲାକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସନ୍ତେ ଆଉ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ସମ୍ଭବ ହୁଅନ୍ତା ବୋଲି ସଧାରଣରେ ମତପ୍ରକାଶ ପାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ