
ଭୁବନେଶ୍ୱର/କଟକ, 30 ଡିସେମ୍ବର (ହି.ସ.)- ଓଡିଶା ଭିଜିଲାନ୍ସ ସୋମବାର କଟକ ଜିଲ୍ଲାର ବାରଙ୍ଗ ତହସିଲରେ ନିଯୁକ୍ତ
ଅତିରିକ୍ତ ତହସିଲଦାର ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସଂପତି ଠୁଳ
କରିବା (ଡିଏ) ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ସହ ସଂପୃକ୍ତ ସ୍ଥାନଗୁଡ଼ିକରେ
ରେଡ୍ କରାଯାଇଥିବା ସମୟରେ ବିପୁଳ ପରିମାଣରେ ଚଳ-ଅଚଳ ସମ୍ପତି ଠାବ କରାଯାଇଛି।
ଔପଚାରିକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଏହି ରେଡରେ ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ଦୁଇଟି ବହୁମହଲା ବିଲ୍ଡିଂ, ଉତ୍ତରା ଅଞ୍ଚଳରେ ଏକ 2-ବିଏଚ୍କେ
ଫ୍ଲାଟ, ଖୋର୍ଦ୍ଧା ଟାଉନରେ ଏକ ବହୁମହଲା ଭବନ, ଚାରିଟି ଉଚ୍ଚ ମୂଲ୍ୟର ପ୍ଲଟ୍, ପ୍ରାୟ
୧୦୦ ଗ୍ରାମ ସୁନାର ଗହଣା, ୬.୨୦ ଲକ୍ଷ ଟଙ୍କା ନଗଦ, ଏକ ଚାରି ଚକିଆ ଯାନ (କିଆ ସେଲ୍ଟସ୍) ଏବଂ ଚାରିଟି ଦୁଇ ଚକିଆ ଯାନ
ଜବତ ହୋଇଛି।
ଏହି କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି
କରାଯାଇଥିବା ତଲାଶୀସୀ ୱାରେଂଟ ଅନୁସାରେ କରାଯାଉଛି। ରେଡ୍ କରୁଥିବା ଦଳର ନେତୃତ୍ୱ ଚାରିଜଣ
ଡିଏସ୍ପି ନେଉଛନ୍ତି, ଯେଉଁଥିରେ ସାତ ଇନସପେକ୍ଟର, ଜଣେ ସବ୍-ଇନସପେକ୍ଟର, 8ଜଣ
ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଅଛନ୍ତି।
ଭିଜିଲାନ୍ସ କହିଛି ଯେ ଶ୍ରୀ ପଣ୍ଡା ୧୦ ନଭେମ୍ବର ୧୯୯୫ ରେ ପଶୁପାଳନ ଏବଂ ପଶୁ ଚିକିତ୍ସା
ସେବା ନିର୍ଦ୍ଦେଶାଳୟ, କଟକରେ ବରିଷ୍ଠ
ପ୍ରୟୋଗଶାଳା ସହାୟକ ଭାବରେ ସରକାରୀ ସେବାରେ ପ୍ରବେଶ କରିଥିଲେ, ଯେଉଁଠାରେ ତାଙ୍କର ପ୍ରାରମ୍ଭିକ ମାସିକ ବେତନ ୨,୦୦୦ ଟଙ୍କା ଥିଲା ଏବଂ ତାଙ୍କର ନିଯୁକ୍ତି ପୁନର୍ବାସନ ଯୋଜନା ଅନ୍ତର୍ଗତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା