କେନ୍ଦୁଝର, ୨୪ ଫେବ୍ରୁଆରି (ହି.ସ.)- ସୋମବାର ଦିନ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ତେଲକୋଇ ଥାନା ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମର ଅଭିଯୁକ୍ତ ସମ୍ବାରି ଜୁଆଙ୍ଗ ୩୦ ବର୍ଷକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ ତା ୧୨/୫/୨୦୨୩ ରିଖ ଦିନବେଳେ ଏକ ଶାରିରୀକ ଅକ୍ଷମ ନାବାଳିକା(୧୫) ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଆସାମୀ ତା’ ଘରେ ପଶି ଜୋର ଜବରଦସ୍ତ ଦୁଷ୍କର୍ମ କରୁଥିବା ସମୟରେ ପୀଡିତାର ବାପା ପହଂଚି ଯିବାରୁ ଆସାମୀ ପୀଡିତାକୁ ଛାଡି ଦୌଡି ପଳାଇଥିଲା । ଏବଂ ପୀଡିତା ତା’ ବାପାକୁ ସମସ୍ତ ଘଟଣା ବିଷୟରେ କହିବାରୁ ପୀଡିତାର ବାପା ତା ପରଦିନ ୧୩ ତାରିଖ ସକାଳେ ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତେଲକୋଇ ଥାନା କେଶ ରୁଜୁ ହୋଇ ୧୪ ତାରିଖରେ ଆସାମୀକୁ ଦଫା ୪୫୦/୩୭୬/୫୦୬ ଓ ପୋକ୍ସ ଧାରା ୬ ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଫାଷ୍ଟଟ୍ରାକ୍ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ୧୮ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତକୁ ଭିତି କରି ଆସାମୀକୁ ଉପରୋକ୍ତ ଦଣ୍ଡ ଶୁଣାଇବା ସହ ପୀଡିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ ।
ହିନ୍ଦୁସ୍ଥାନ ସମାଚାର/ବିଭୂତି/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଭୁତି