କେନ୍ଦୁଝର, 5 ଫେବୃୟାରୀ (ହି.ସ.) କମ୍ପାନୀ ମାନଙ୍କ ସହ ହୋଇଥିବା ଏମ୍.ଓ.ୟୁ ରବ୍ଦ ସହ ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କରିବା , ସରକାରୀ ଉଦ୍ୟେ।ଗରେ ଶିଳ୍ପ ପ୍ରତିଷ୍ଠା ଆଦି ଦାବିରେ ବୁଧବାର ଦିନ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ
(ଏ.ଆଇ.କେ.କେ.ଏମ୍.ଏସ୍) ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ହୋଇଯାଇଛି । ସଂଗଠନ ନେତୃତ୍ୱରେ ସହସ୍ରାଧିକ ଚାଷୀ, ମହିଳା , ଛାତ୍ର ଓ ଯୁବକ କେନ୍ଦୁଝରସ୍ଥ ଧୋବାଡିହା ବସଷ୍ଟାଣ୍ଡ ଠାରୁ ହାତରେ ପ୍ଲାକାଡ ଧରି ପୋସ୍କୋ ହଟାଅ ଭିଟାମାଟି ବଞ୍ଚାଅ, ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କର ଆଦି ସ୍ଲୋଗାନ ଦେଇ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରିଛନ୍ତି । ବିକ୍ଷୋଭ ସ୍ଥଳରେ ଏକ ଜନସଭାରେ ଏ.ଆଇ.କେ.କେ.ଏମ୍.ଏସ୍ ର କେନ୍ଦୁଝର ଜିଲ୍ଲା ସଭାପତି ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ରାଜ୍ୟ ସଂପାଦକ ରଘୁନାଥ ଦାସ ଯୋଗ ଦେଇ ତାଙ୍କ ଭାଷଣ ପ୍ରସଙ୍ଗରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ବେକାରୀ ସମସ୍ୟା ସମାଧାନ ପାଇଁ ନିଯୁକ୍ତି ଲିଭିକ ଶିଳ୍ପ କଳକାରଖାନା ସରକାରୀ ଉଦ୍ୟୋଗରେ କରାଯିବା ଆବଶ୍ୟକ । ଏଥିପାଇଁ କେନ୍ଦୁଝର ଜିଲ୍ଲାରେ ସରକାରଙ୍କ ହାତରେ ୩ ହଜାରୁ ଅଧୂକ ଏକର ଜମି ବାଂଶପାଳ ବ୍ଳକର ତରମାକାନ୍ତ ଠାରେ ଅଛି । ଏହାଛଡା ଲୁହାପଥର ଖଣି ସଲଗ୍ନ ଅଞ୍ଚଳରେ ପଯ୍ୟାପ୍ତ ପରିମାଣର ସରକାରୀ ଜମି ରହିଛି । ସରକାର ସେଠାରେ କଳକାରଖାନା ନକରି ହଜାର ହଜାର ଲୋକଙ୍କୁ ବିସ୍ତାପିତ କରି ଉର୍ବର ଚାଷ ଜମିକୁ ବଳପୂର୍ବକ ଅଧିକାର କରି କମ୍ପାନୀମାନଙ୍କୁ ଟେକିଦେବା ପାଇଁ କାହିଁକି ଜୋଜନା କରୁଛନ୍ତି ବୋଲି ଶ୍ରୀ ଦାସ ପ୍ରଶ୍ନ ଉଠାଇଛନ୍ତି। ଏହାଦ୍ଵାରା ଡବଲ ଇଞ୍ଜିନ ବିଜେପି ସରକରଙ୍କ କମ୍ପାନୀ ପ୍ରିତିର ପ୍ରକୃତ ଚେହେରା ପ୍ରକାଶ ପାଉଛି ବୋଲି ସ୍ପଷ୍ଟ ହେଉଛି କହିଥିଲେ । ସୁତରାଂ ଚାଷ ଜମି ଅଧି ଗ୍ରହଣ ବନ୍ଦ କରିବା ସହ କମ୍ପାନୀଙ୍କ ସହ ହୋଇଥିବା ଏମ୍.ଓ.ୟୁ କୁ ରବ୍ଦ କରିବା ସଙ୍ଗେ ସଙ୍ଗେ ସରକାରୀ ଜମିରେ ସରକାରୀ ଉଦ୍ୟୋଗରେ ଶ୍ରମ ଭିରିକ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ କମ୍ରେଡ ଦାସ ଗୁରୁତ୍ୱାରୋପ କରିଛନ୍ତି । ଏହି ବିକ୍ଷୋଭ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଅଲ୍ ଇଣ୍ଡିଆ କମିଟି ସଭ୍ୟ ପ୍ରକାଶ ମଲ୍ଲିକ, ଜିଲ୍ଲା ସମ୍ପାଦକ ବେଣୁଧର ସର୍ଦ୍ଦାର, ବରିଷ୍ଠ ଚାଷୀ ନେତା ଲକ୍ଷ୍ମୀଧର ମହାନ୍ତ, ଅଚ୍ୟୁତାନନ୍ଦ ନାଏକ, ମଞ୍ଜୁ ନାଏକ, ତ୍ରିଲୋଚନ ମହାନ୍ତ, ଲାଲମୋହନ ନାଏକ, ଲୋକନାଥ ପାତ୍ର, ଭୁବନାନନ୍ଦ ସର୍ଦ୍ଦାର, ଗୌର ଚନ୍ଦ୍ର ମହାକୁଡ, ଇନ୍ଦ୍ରମଣି ମହାନ୍ତ, ନିର୍ମଳା ନାଏକ, ଶତ୍ରୁଘ୍ନ ନାଏକ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କୌଣସି ପରିସ୍ଥିତିରେ ଭିଟାମାଟି ଓ ଚାଷଜମି ଛାଡିବୁ ନାହିଁ ଓ ଆବଶ୍ୟକ ହେଲେ ନିଜର ଜୀବନ ବିସର୍ଜନ କରିବାକୁ ପଛଘୁଞ୍ଚା ନେବୁନାହୁଁ ବୋଲି ବଜ୍ର ସପଥ ନେଇଥିଲେ । ପ୍ରକାଶ ମଲ୍ଲିକଙ୍କ ନେତୃତ୍ୱରେ ବରିଷ୍ଠ ଚାଷୀ ନେତା ଲକ୍ଷ୍ମୀଧର ମହାନ୍ତ, ଆଇନଜିବୀ ବିଷ୍ଣୁଶର୍ମା ସାହୁ, ବେଣୁଧର ସଦ୍ଦାରଙ୍କୁ ନେଇ ଗଠିତ ଏକ ପ୍ରତିନିଧ ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଚାରି ଦଫା ଦାବି ସମ୍ବଳୀତ ଏକ ସ୍ମାରକପତ୍ର କେନ୍ଦୁଝର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବିଭୁତି