ଓଡ଼ିଆ ଭାଷାର ବିକାଶରେ ଯୁବସମାଜର ଭୂମିକା ଗୁରୁତ୍ବପୂର୍ଣ୍ଣ
ଓଡ଼ିଆ ଭାଷାର ବିକାଶରେ ଯୁବସମାଜର ଭୂମିକା ଗୁରୁତ୍ବପୂର୍ଣ୍ଣ
ଓଡ଼ିଆ ଭାଷାର ବିକାଶରେ ଯୁବସମାଜର ଭୂମିକା ଗୁରୁତ୍ବପୂର୍ଣ୍ଣ


ସମ୍ବଲପୁର, ୧୧ ମାର୍ଚ୍ଚ (ହି.ସ): ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଆଜି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ବରାଳଙ୍କର ସଭାପତିତ୍ଵରେ ଏହି ଦିବସ ଉପଲକ୍ଷେ ଅନୁଷ୍ଠିତ ହେଇଥିବା ସଭାରେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଗାଳ୍ପିକା ତଥା ଅବସର ପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପିକା ଡ. ସନ୍ତୋଷିନୀ ବାବୁ ଯୋଗଦାନ କରି ଓଡ଼ିଆ ଭାଷାର ଐତିହାସିକ ବିକାଶ ତଥା ଉତ୍ଥାନ ଓ ପତନର ବିଭିନ୍ନ ସ୍ତର ଉପରେ ଆଲୋକପାତ କରିଥିଲେ । ଛାତ୍ରୀମାନେ ଓଡ଼ିଆ ଭାଷାକୁ ପ୍ରାଣର ଭାଷା ଭାବରେ ଗ୍ରହଣ କଲେ ହିଁ ଓଡ଼ିଆ ଭାଷାର ବିକାଶ ହେବ ବୋଲି କହିଥିଲେ। ଭାଷା ସାମାନ୍ୟ କାରଣରୁ ବିକୃତ ହୁଏ ବୋଲି ସେ ମତପୋଷଣ କରିଥିଲେ । ପ୍ରାରମ୍ଭିକ ସମ୍ଭାଷଣରେ ପ୍ରଫେସର ବରାଳ ଶିକ୍ଷାର ସକାରାତ୍ମକ ବିକାଶ କ୍ଷେତ୍ରରେ ଓଡ଼ିଆ ଭାଷାର ଆବଶ୍ୟକତା ଉପରେ ଆଲୋକପାତ କରି ଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ଅଖିଳ ବିଶ୍ୱାଳ ଓଡ଼ିଆ ଭାଷାକୁ ଆକର୍ଷଣୀୟ କରିବା ପାଇଁ ଶବ୍ଦକୋଷ, ଜ୍ଞାନକୋଷ, ପାଠ୍ୟପୁସ୍ତକ ଆଦିର ପ୍ରକାଶନ ଉପରେ ଗୁରୁତ୍ବ ପ୍ରଦାନ କରିବା ସହ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଆ ବିଭାଗର ଅନ୍ୟତମ ଅଧ୍ୟାପକ ଯୋଗେଶ ଚନ୍ଦ୍ର ଭୋଇ ଅତିଥି ପରିଚୟ ପ୍ରଦାନ କରିବା ସହିତ ଓଡ଼ିଆ ଭାଷାର ଚଳମାନତା ଓ ସ୍ନାତନ୍ତ୍ର୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ରମେଶଚନ୍ଦ୍ର ମିର୍ଦ୍ଧା, ଡ. ପ୍ରଜ୍ଞାପିତା ଦାସ, ଶୁଭସ୍ମିତା ମହାପାତ୍ର,ରଞ୍ଜିତା ମାଝୀ ଏବଂ ଲୁଚକାନ୍ତି ପଧାନ ଏହି ସଭାକୁ ସଫଳ କରିବାରେ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande