ବଲାଙ୍ଗିର, 8 ଏପ୍ରିଲ୍ (ହି.ସ.)
ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂ ଦେଓଙ୍କ ଦ୍ୱାରା କୁଟାସିଙ୍ଗଠାରେ 33/11 କେ.ଭି. ପାୱାର ସବ-ଷ୍ଟେସନର ଲୋକାର୍ପଣ ଉତ୍ସବ କରାଗଲା । ଏହି ସବ୍-ଷ୍ଟେନକୁ ଓଡିଏସ୍ଏସପି ଫେଜ୍-4 ସ୍କିମରେ ନିର୍ମାଣ କରିବା ପାଇଁ ପ୍ରାୟ 8 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଅଛି । ଏହି ସବ୍-ଷ୍ଟେସନ୍ ଠାରୁ 4 ଗୋଟି ଫିଡର୍ ଲାଇନ୍ ଯଥା- ଚୋକରାମାଲ୍, କୁଟାସିଙ୍ଗା, ଲାକଚିପୁର୍ ଏବଂ ରିଜର୍ଭ ଫିଡର୍ କୁ ସଂଯୋଗ କରାଯାଇଅଛି ।
ଏତଦ୍ ଦ୍ୱାରା କୁଟାସିଙ୍ଗ ଗ୍ରାମପଞ୍ଚାୟତ, ମୁରୁସୁଣ୍ଡା ଗ୍ରାମପଞ୍ଚାୟତ, ଭକ୍ତି ଗ୍ରାମପଞ୍ଚାୟତ, ଲାକଚିପୁର୍ ଗ୍ରାମପଞ୍ଚାୟତର ପ୍ରାୟ 3 ହଜାର 500 ବିଦ୍ୟୁତ୍ ଗ୍ରାହକ ଉପକୃତ ହେବେ । ପୂର୍ବରୁ ଏହି ସବୁ ଅଞ୍ଚଳକୁ ସାଲେଭଟା ଗ୍ରୀଡ ଯାହା 15 କି.ମି. ଦୂରରେ ଅବସ୍ଥିତ, ସେଠାରୁ ବିଦ୍ୟୁତ୍ ସଂଯୋଗ କରାଯାଉଥିଲା । ବର୍ତ୍ତମାନ ଏହା କୁଟାସିଙ୍ଗା ଗ୍ରୀଡ ହେବା ଫଳରେ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ପ୍ରଦାନ କରାଯାଇପାରିବ । ଏହି ଗ୍ରୀଡ୍ ସବ-ଷ୍ଟେସନ୍ ଦ୍ୱାରା ସେହି ଅଞ୍ଚଳର ପ୍ରାୟ 500 କୃଷି ଭିତ୍ତିକ ଗ୍ରାହକ ମଧ୍ୟ ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ପାଇ ପାରିବେ । ଏହି ଅବସରରେ ମାନ୍ୟବର ଉପମୁଖ୍ୟନ ମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡା. ମୁକେଶ କୁମାର ମହାଲିଙ୍ଗ ଏବଂ ମାନ୍ୟବର ସାଂସଦ ଶ୍ରୀମତି ସଙ୍ଗୀତା କୁମାରି ସିଂ ଦେଓ ଉପସ୍ଥିତ ଥିଲେ ।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଗ୍ରାହକମାନଙ୍କୁ ବିଦ୍ୟୁତ୍ ସେବା ଓ ଏହାର ନିୟମିତ ଶୁଳ୍କ ପ୍ରାଦନ ଉପରେ ଉପଦେଶ ଦେଇଥିଲେ । ଏହା ସହିତ ସରକାରଙ୍କ ବିଦ୍ୟୁତ୍ ସେବାକୁ ସୁଦୃଢ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଘୋଷଣା କରିଥିଲେ । ମାନ୍ୟବର ମନ୍ତ୍ରୀ ଏବଂ ମାନ୍ୟବର ସାଂସଦ ବିଦ୍ୟୁତ୍ ସରବାରହ ଭିତ୍ତିଭୂମିର ଆବଶ୍ୟକତା ଏବଂ ଏହାର ଉପଯୋଗିତା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଗତ ଭାଷଣ ପରିବେଷଣ କରିବା ସହ କମ୍ପାନୀର ଅପରେସନ୍ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ଆଶିଷ କୁମାର ପଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ