କେନ୍ଦୁଝର, 11 ଜୁନ୍ (ହି.ସ.)
ବିଶ୍ଵର ସର୍ବୋଚ୍ଚ ରଥକୁ ଶିଆଳି ଦଉଡ଼ିରେ ଟାଣିବାର ରହିଛି ନିଆରା ପରମ୍ପରା । କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ର ସର୍ବୋଚ୍ଚ ନନ୍ଦିଘୋଷ ରଥକୁ କାହିଁ କେଉଁ କାଳରୁ ଭୂୟାଁ ସମ୍ପ୍ରଦାୟର ଲୋକଙ୍କ ଦ୍ଵାରା ପ୍ରସ୍ତୁତ ଶିଆଳି ଦଉଡ଼ି ଦ୍ବାରା ଟଣାଯାଉଛି । ଶିଆଳି ଲତାରୁ ରଥ ଦଉଡ଼ି ପ୍ରସ୍ତୁତ କରିବାକୁ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମାରେ ପ୍ରଭୁଙ୍କ ଠାରୁ ଆଜ୍ଞାମାଳ ନେଇଥାନ୍ତି ଭୂୟାଁ ସମ୍ପ୍ରଦାୟର ଲୋକେ । ଏଥିପାଇଁ ବାଂଶପାଳ ବ୍ଲକ ଦଅଁଳା ଗାଁର ଲୋକେ ହାତରେ ଶିଆଳି ଲତା ଧରି ଆଜି ପ୍ରଭୁ ଶ୍ରୀବଳଦବେବଜୀଉଙ୍କ ମନ୍ଦିରରେ ପହଞ୍ଚି ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଜ୍ଞାମାଳ ନେଇଛନ୍ତି । ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟ ଠାରୁ ରଥ ଦଉଡ଼ି ପାଇଁ ଏଠାକାର ଲୋକେ ନିକଟସ୍ଥ ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ଶିଆଳି ଲତା ସଂଗ୍ରହ କରିଥାନ୍ତି । ସ୍ନାନ ପୂର୍ଣ୍ଣିମା ଦିନ ଠାକୁରଙ୍କଠାରୁ ଆଜ୍ଞାମାଳ ନେଇ ରଥ ଦଉଡ଼ି ତିଆରି କରିବା ଆରମ୍ଭ କରିଥାନ୍ତି ଏହି ଭୂୟାଁ ସମ୍ପ୍ରଦାୟର ଲୋକେ । ଯାହା, କେନ୍ଦୁଝରର ରଥଯାତ୍ରା ପାଇଁ ଭୂୟାଁ ସମ୍ପଦାୟ ଲୋକଙ୍କର ଏକ ବିଶେଷ ଅବଦାନ ଭାବେ ରହି ଆସିଛି ବୋଲି
ଚାରି ପୀଢ଼ ଭୂୟାଁ ସର୍ଦ୍ଦାର କୁଞ୍ଜ ବିହାରୀ ସର୍ଦ୍ଦାର ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA