ନୂଆଦିଲ୍ଲୀ, 17 ଜୁନ (ହି.ସ.) ୨୦୧୪ ରୁ ୨୦୨୫ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚକ୍ଷଣ ନେତୃତ୍ୱରେ ଭାରତର ସ୍ୱାସ୍ଥ୍ୟସେବା ରୂପାନ୍ତରିତ ହୋଇଛି। ଜନ କୈନ୍ଦ୍ରିକ ଦୃଷ୍ଟିକୋଣ ମାଧ୍ୟମରେ, ସରକାର ସମସ୍ତ ନାଗରିକ, ବିଶେଷକରି ଅବହେଳିତ ଏବଂ ଗ୍ରାମୀଣ ଜନସଂଖ୍ୟାଙ୍କ ପାଇଁ ଗୁଣବତ୍ତାଯୁକ୍ତ ସ୍ୱାସ୍ଥ୍ୟସେବାକୁ ସୁଲଭ ଏବଂ ସହଜଲଭ୍ୟ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ହେଉ କିମ୍ବା ଇ-ସଞ୍ଜିବନୀ ଭଳି ଟେଲିମେଡିସିନ ପ୍ଲାଟଫର୍ମ ହେଉ, ଏସବୁଥିରେ ଲକ୍ଷ୍ୟ ସ୍ପଷ୍ଟ ରହିଛି। ତାହା ହେଲା: ସମସ୍ତଙ୍କ ପାଇଁ ସୁଲଭ, ସହଜଲଭ୍ୟ ଏବଂ ଦାୟିତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା।
ଭାରତ କେବଳ କୋଭିଡ୍ ୧୯ ସଙ୍କଟକୁ ନିୟନ୍ତ୍ରଣ କରିନଥିଲା, ବିଶ୍ୱକୁ ୨୨୦ କୋଟିରୁ ଅଧିକ ଟିକା ପ୍ରଦାନ କରି ବିଶ୍ୱ ସ୍ୱାସ୍ଥ୍ୟ ସେବାରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ଅଂଶୀଦାର ନିଜକୁ ପ୍ରମାଣିତ କରିଥିଲା। ମିଶନ ଇନ୍ଦ୍ରଧନୁଷ ଭଳି ବ୍ୟାପକ ଟିକାକରଣ ଅଭିଯାନ ମାଧ୍ୟମରେ ପ୍ରତିରୋଧମୂଳକ ସେବା ବୃଦ୍ଧି ପାଇଛି। ଚିକିତ୍ସା ଶିକ୍ଷାରେ ଏକ ବୃହତ ପରିବର୍ତ୍ତନ ଆସିଛି, ଦେଶରେ ଏମ୍ସ ସହ ମେଡିକାଲ୍ ଆସନ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି। ଦେଶର ପ୍ରତ୍ୟେକ କୋଣରୁ ନୂତନ ଡାକ୍ତରମାନଙ୍କୁ ସଶକ୍ତ କରାଯାଇଛି। ଜନ ଔଷଧି କେନ୍ଦ୍ର ମାଧ୍ୟମରେ ଜେନେରିକ ଔଷଧ ସହଜରେ ଉପଲବ୍ଧ ହୋଇଛି, ଯାହାଦ୍ୱାରା ସାଧାରଣ ପରିବାରର ଲକ୍ଷ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ବଞ୍ଚିପାରିଛି।
ଭାରତୀୟ ସ୍ୱାସ୍ଥ୍ୟ ବିଭାଗର ଏ କାହାଣୀ କେବଳ ଭିତ୍ତିଭୂମି ଉନ୍ନୟନରେ ସୀମିତ ନାହିଁ, ଏହା ପ୍ରଭାବର କାହାଣୀ ବର୍ଣ୍ରନା କରୁଛି। ଏ ଭିତରେ ମାତୃ ମୃତ୍ୟୁ ହାର ହ୍ରାସ ପାଇଛି। ସ୍ୱାସ୍ଥ୍ୟସେବାର ସୁଲଭତା ବୃଦ୍ଧି ପାଇଛି। ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଆସ୍ଥା ପୂର୍ବ ଅପେକ୍ଷା ଅଧିକ ଦୃଢ଼ ହୋଇଛି। ଯେହେତୁ ଭାରତ ଅମୃତ କାଳରେ ପବେଶ କରୁଛି, ଏହାର ସ୍ୱାସ୍ଥ୍ୟ ଯାତ୍ରା ଏବେ କେବଳ ରୋଗ ଚିକିତ୍ସାରେ ସୀମାବଦ୍ଧ ହୋଇ ନାହିଁ- ଏହା ରାଷ୍ଟ୍ରର ପୋଷଣ ବିଷୟକୁ ଆଧାର କରିଛି। ସ୍ୱାସ୍ଥ୍ୟ ଏବେ ଏକ ଅଧିକାର, ସୁବିଧା ନୁହେଁ। ଏବଂ ମୋଦୀ ସରକାରଙ୍କ ଅଧୀନରେ, ପ୍ରତ୍ୟେକ ଭାରତୀୟଙ୍କ ଜୀବନ ମହତ୍ୱପୂର୍ଣ୍ଣ। ଯାହାର ମୂଳ ବିନ୍ଦୁରେ ରହିଛି- ସମ୍ମାନ, ଯତ୍ନ ଏବଂ ଆକାଂକ୍ଷା।
୨୦୧୮ ରେ, କେନ୍ଦ୍ର ସରକାର ଆର୍ଥିକ ଦୃଷ୍ଟିରୁ ପଛୁଆ ଭାରତୀୟଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହାୟକ ହେବା ଉଦ୍ଦେଶ୍ୟରେ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିଥିଲେ, ଯାହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଭାରତର ୪୦% ଜନସଂଖ୍ୟାଙ୍କୁ ଟାର୍ଗେଟ କରି, ଏହି ଯୋଜନା ପ୍ରାୟ ୧୨.୩୭ କୋଟି ପରିବାରଙ୍କୁ ସହାୟକ ହୋଇଛି। ପ୍ରାୟ ୫୫ କୋଟି ବ୍ୟକ୍ତି ଏଥିରେ ଉପକୃତ ହେଉଛନ୍ତି। ୨୯ ଅକ୍ଟୋବର ୨୦୨୪ ରେ ଏକ ଐତିହାସିକ ସମ୍ପ୍ରସାରଣରେ, ସରକାର ଆୟୁଷ୍ମାନ ଭାରତ ବୟ ବନ୍ଦନା ପ୍ରବର୍ତ୍ତନ କରିଛନ୍ତି, ଯାହା ୭୦ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଅମୃତ ସଞ୍ଜିବୀ ପାଲଟିଛି। ଆୟୁଷ୍ମାନ ବୟ ବନ୍ଦନା ଯୋଜନାରେ ୫୮ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ୪୯୬କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି। ଏହି ପଦକ୍ଷେପ ବୟସ୍କମାନଙ୍କର ସ୍ୱାସ୍ଥ୍ୟ ସମ୍ବେଦନଶୀଳତାକୁ ବୁଝେ ଏବଂ ସେମାନଙ୍କ ସମ୍ମାନଜନକ ବଞ୍ଚିବା ଓ ଚିନ୍ତାମୁକ୍ତ ଚିକିତ୍ସାକୁ ସୁନିଶ୍ଚିତ କରେ।
ଏହା ସହିତ, ଏହି ଯୋଜନା ଭାରତର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅଗ୍ରଣୀ ନାୟକମାନଙ୍କୁ, ଯଥା ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ଅଙ୍ଗନବାଡ଼ି ସହାୟକଙ୍କୁ ମଧ୍ୟ ସହାୟକ ହୋଇଛି। ମୋଟାମାଟି ଭାବେ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା କେବଳ ଏକ ସ୍ୱାସ୍ଥ୍ୟ ଯୋଜନା ନୁହେଁ—ଏହା ସ୍ୱାସ୍ଥ୍ୟସେବା ସୁଲଭତାରେ ଏକ ସାମାଜିକ ବିପ୍ଳବ, ଯାହା ଭାରତର ସବୁଠାରୁ ଦୁର୍ବଳ ବର୍ଗକୁ ସମ୍ମାନ, ଯତ୍ନ ଏବଂ ଆର୍ଥିକ ସୁରକ୍ଷା ସହିତ ସଶକ୍ତ କରୁଛି।
ଭାରତ ସରକାର ଦେଶରେ ଏକ ଦୃଢ଼ ଏବଂ ଏକୀକୃତ ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ ପ୍ରତିଷ୍ଠା କରିବା ପାଇଁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି। ଏହା ରକ୍ଷିତ, ଇଣ୍ଟରଅପରେବଲ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ। ରୋଗୀ, ସେବା ପ୍ରଦାନକାରୀ, ଏବଂ ନୀତି ନିର୍ମାତାଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କରେ।
ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ହେଉଛି ଏକ ଐତିହାସିକ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନା, ଯେଉଁଥିରେ ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ୬୪୧୮୦ କୋଟି ଟଙ୍କାର ମୋଟ ବ୍ୟୟ ବରାଦ କରାଯାଇଛି। ଏହା ପ୍ରାଥମିକ, ମାଧ୍ୟମିକ ଏବଂ ତୃତୀୟ ସ୍ତରରେ ସ୍ୱାସ୍ଥ୍ୟ ସେବା ବିତରଣକୁ ଶକ୍ତିଶାଳୀ ଏବଂ ଏକୀକୃତ କରିବା ପାଇଁ ଉଦ୍ଦିଷ୍ଟ।
ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଦୁଇଟି ଉପ-ମିଶନ—ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଏବଂ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟ କରୁଛି। ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ପ୍ରମୁଖ କାର୍ଯ୍ୟକ୍ରମ। ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ର ଲକ୍ଷ୍ୟ ଏବଂ ପରିପୂରକ ବିକାଶ ଲକ୍ଷ୍ୟ ଅନୁସାରେ ସମସ୍ତଙ୍କ ପାଇଁ ସୁସ୍ଥ ଜୀବନ ଏବଂ କଲ୍ୟାଣକୁ ପ୍ରୋତ୍ସାହନ କରିବା।
ଗତ ଦଶନ୍ଧି ମଧ୍ୟରେ ସରକାର ଏନ୍ଏଚଏମ୍ ଅଧୀନରେ ବିନିଯୋଗ ଏବଂ ସେବାଗୁଡ଼ିକୁ ନାଟକୀୟ ଭାବେ ବୃଦ୍ଧି କରିଛନ୍ତି।
ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜର ଏକ ପ୍ରମୁଖ ସ୍ତମ୍ଭ ହେଉଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ପୂର୍ବରୁ ଆୟୁଷ୍ମାନ ଭାରତ-ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଭାବେ ପରିଚିତ ହେଉଥିଲା।
ଜନସାଧାରଣ ଚିକିତ୍ସା କ୍ଷେତ୍ରରେ ଭୋଗୁଥିବା ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ଏନ୍ଏଚ୍ଏମ୍ ଲକ୍ଷ୍ୟ ରଖିଛି। ଏଥିରେ ପ୍ରଜନନ ସ୍ୱାସ୍ଥ୍ୟ, ମାତୃ, ନବଜାତ, ଶିଶୁ ଏବଂ କିଶୋର ସ୍ୱାସ୍ଥ୍ୟ କ୍ଷେତ୍ର ଉଲ୍ଲେଖ ଯୋଗ୍ୟ। ଏହି ଯୋଜନା ଅଧିନରେ କାର୍ଯ୍ୟକ୍ଷମ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ ହେଉଛି ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ , ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ, ମିଶନ ଇନ୍ଦ୍ରଧନୁଷ, ଜନନୀ ସୁରକ୍ଷା ଯୋଜନା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ), ନବଜାତ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ଜାତୀୟ ପରିବାର ନିୟୋଜନ କାର୍ଯ୍ୟକ୍ରମ, ଏବଂ ଲେବର ରୁମରେ ଗୁଣବତ୍ତା ଉନ୍ନତି ପାଇଁ ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ ପ୍ରଭୃତି।
ପୁଷ୍ଟିହୀନତା ଦୂର କରିବା ପାଇଁ, ମିଶନ ଜାତୀୟ ଆୟୋଡିନ ଅଭାବ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଶିଶୁ ଏବଂ ଛୋଟ ଶିଶୁଙ୍କ ଖାଦ୍ୟ ପାଇଁ (ମଦର୍ସ ଆବସୋଲ୍ୟୁଟ ଆଫେକ୍ସନ) କାର୍ଯ୍ୟକ୍ରମ, ଜାତୀୟ ଫ୍ଲୋରୋସିସ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPPCF), ଏବଂ ରକ୍ତହୀନତା ନିୟନ୍ତ୍ରଣ ପାଇଁ ଜାତୀୟ ଆୟର୍ନ ପ୍ଲସ ଉଦ୍ୟମ ଭଳି କାର୍ଯ୍ୟକ୍ରମ କ୍ରିୟାଶୀଳ ରହିଛି।
ସଂକ୍ରାମକ ରୋଗ କ୍ଷେତ୍ରରେ, ନିଆଯାଉଥିବା ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ରହିଛି ଇଣ୍ଟିଗ୍ରେଟେଡ ଡିଜିଜ ସର୍ଭେଲାନ୍ସ ପ୍ରୋଗ୍ରାମ, ସଂଶୋଧିତ ଜାତୀୟ କ୍ଷୟରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ କୁଷ୍ଠରୋଗ ନିର୍ମୂଳ କାର୍ଯ୍ୟକ୍ରମ (NLEP), ଜାତୀୟ ଭେକ୍ଟର ବୋର୍ନ ଡିଜିଜ କଣ୍ଟ୍ରୋଲ ପ୍ରୋଗ୍ରାମ, ଜାତୀୟ ଏଡ଼ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ପଲସ ପୋଲିଓ କାର୍ଯ୍ୟକ୍ରମ, ଜାତୀୟ ଭାଇରାଲ ହେପାଟାଇଟିସ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ ରେବିଜ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଏବଂ ଆଣ୍ଟି-ମାଇକ୍ରୋବିଆଲ ରେଜିଷ୍ଟାନ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ