ଭଦ୍ରକ, ୧୮ ଜୁନ୍ (ହି.ସ.)- ଡ୍ରାଇଭରମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ, ଭଦ୍ରକ ଶାଖା ପକ୍ଷରୁ ଆଜି ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ସରୋଜ ଦତଙ୍କୁ ଏକ ନିବେଦନ ପତ୍ର ଦିଆଯାଇଛି। ସଂଘ ପକ୍ଷରୁ ସଭାପତି ଦିଲ୍ଲୀପ ସାହୁ, ସଂପାଦକ ଜୀବନଜ୍ୟୋତି ଚାନ୍ଦଙ୍କ ସମେତ ପ୍ରଶାନ୍ତ କୁମାର ପଲେଇ, ବିମ୍ବାଧର ଜେନା, ଫକୀରୁଦ୍ଦିନ୍ ଖାନ୍, କୈଳାସ ମଣ୍ଡଳ, ବାପୁଜୀ ସଏ, ଟୁଲୁ ହେମ୍ବ୍ରମ୍ ପ୍ରମୁଖ ଜିଲାପାଳଙ୍କ ସମେତ ଏସ୍ପି, ଅତିରିକ୍ତ ଜିଲାପାଳ, ଅତିରିକ୍ତ ଏସ୍ପି, ଆରଟିଓଙ୍କ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଏହି ପତ୍ରରେ ଦର୍ଶାଯାଇଛି ଯେ ଡ୍ରାଇଭର ମାନଙ୍କ ବହୁଦିନର ବିଭିନ୍ନ ସମସ୍ୟାକୁ ନେଇ ବାରମ୍ବାର ସରକାରଙ୍କୁ ଅବଗତ କରିଆସୁଛି। ଆଜିସୁଦ୍ଧା ଗୋଟିଏ ମାତ୍ର ସମସ୍ୟା ପୂରଣ ହୋଇଛି। ଯାହାକି ଡ୍ରାଇଭର ସମାଜ ପାଇଁ ଯଥେଷ୍ଟ ନୁହେଁ। ଆଉ ୭ ଗୋଟି ମୁଖ୍ୟ ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଏଥିପାଇଁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ। ଏଣୁ ବାଧ୍ୟହୋଇ ଶେଷଥର ପାଇଁ ସେମାନେ ଗତ ମାର୍ଚ୍ଚ ୨୯ ତାରିଖ ଠାରୁ ଦୀର୍ଘ ୬ ଦିନ ପର୍ଯ୍ୟନ୍ତ ଲୋୟର ପିଏମ୍ଜି ଠାରେ ଧାରଣା ଦେଇଥିଲେ। ତଥାପି ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ଫଳରେ ଡ୍ରାଇଭରମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି। ସମସ୍ତ ଡ୍ରାଇଭରମାନଙ୍କ ପକ୍ଷରୁ ଏବେ ନିଷ୍ପତି ନିଆଯାଇଛି ଯେ ଆଗାମୀ ଏକମାସ ମଧ୍ୟରେ ସରକାର ଯଦି ସେମାନଙ୍କ ସମସ୍ୟାର ସମାଧାନ ନକରେ, ତେବେ ଆସନ୍ତା ଜୁଲାଇ ୮ ତାରିଖ ଠାରୁ ସେମାନେ ଷ୍ଟୟରିଂ ଛାଡ ଆନ୍ଦୋଳନ ଆରମ୍ଭ କରିବା ସହ ଆବଶ୍ୟକ ପଡିଲେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ସେମାନଙ୍କ କାର୍ଯ୍ୟରେ ଅସହଯୋଗ କରିବେ। ଯାହାଦ୍ୱାରା ପରିବହନ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିବାର ଆଶଙ୍କା ଦେଖାଦେଇଛି। ଏହି ସମୟ ମଧ୍ୟରେ କୌଣସି ଅପ୍ରତିକର ପରିସ୍ଥିତି ଉପୁଜୁି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଦାବୀଗୁଡିକ ମଧ୍ୟରେ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏଣ୍ଡ ୱାକର୍ସ ୱେଲଫେୟାର ବୋର୍ଡରେ ସମସ୍ତ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯିବା ସହ ଜନସାଧାରଣଙ୍କ ଆକ୍ରୋଶର ଶୀକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ୍ ତିଆରି କରାଯିବା ପାଇଁ ଦାବି କରାଯାଇଛି। ବୃତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ପରେ ସ୍ୱତନ୍ତ୍ର ଭତା ପ୍ରଦାନ, ଗାଡିଗୁଡିକ ପାର୍କିଂ ଓ ସେମାନଙ୍କ ବିଶ୍ରାମ ପାଇଁ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ପ୍ରତି ଶହେ କିଲୋମିଟର ଅନ୍ତରରେ କରାଯିବା ସହ ଓଡ଼ିଶାରେ ଥିବା ପ୍ରତି ଖଣିଖାଦାନ କାରଖାନା ଗୁଡିକରେ ୭୦ ପ୍ରତିଶତ ଓଡ଼ିଶାର ଡ୍ରାଇଭରମାନଙ୍କୁ କାର୍ଯ୍ୟ କରିବା ପାଇଁ ଅଗ୍ରାଧିକାର ଦିଆଯିବା ପାଇଁ ଦାବି କରାଯାଇଛି। ସେହିପରି ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯିବା ଓ ଗାଡିର କାଗଜପତ୍ର ଯାଂଚ କ୍ଷମତା ପୁଲିସ୍କୁ ଦିଆନଯିବା ପାଇଁ ଦାବି କରାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ