ମୋଟର ଗ୍ୟାରେଜ ୟୁନିଅନ ପକ୍ଷରୁ ଦାବିପତ୍ର ପ୍ରଦାନ ଅଟୋ ନଗର ନିର୍ମାଣ କରିବାକୁ ଦାବି
Bhubaneswar, 18 ଜୁନ୍ (ହି.ସ.) ଜୟପୁର ରାସ୍ତା କଡରେ ଥିବା ଗ୍ୟାରେଜ ଗୁଡିକୁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରି ଉଠାଇ ଦେବା ପରେ ଆଜି ସମସ୍ତ ମୋଟର ଗ୍ୟାରେଜ ୟୁନିଅନ କର୍ମକର୍ତ୍ତା ମାନେ ସେମାନଙ୍କୁ ଥଇଥାନ କରିବା ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି। ଗତ ୧୩ ତାରିଖରେ ପୌର ପ୍
ମୋଟର ଗ୍ୟାରେଜ ୟୁନିଅନ ପକ୍ଷରୁ ଦାବିପତ୍ର ପ୍ରଦାନ ଅଟୋ ନଗର ନିର୍ମାଣ କରିବାକୁ ଦାବି


Bhubaneswar, 18 ଜୁନ୍ (ହି.ସ.)

ଜୟପୁର

ରାସ୍ତା କଡରେ ଥିବା ଗ୍ୟାରେଜ ଗୁଡିକୁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରି ଉଠାଇ ଦେବା ପରେ ଆଜି ସମସ୍ତ ମୋଟର ଗ୍ୟାରେଜ ୟୁନିଅନ କର୍ମକର୍ତ୍ତା ମାନେ ସେମାନଙ୍କୁ ଥଇଥାନ କରିବା ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି। ଗତ ୧୩ ତାରିଖରେ ପୌର ପ୍ରଶାସନ ପକ୍ଷରୁ ଗାନ୍ଧିଛକ ଠାରୁ ମଶାଣି ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଗ୍ୟାରେଜ ଗୁଡିକ ଭାଙ୍ଗିଦେଇଥିବା ପରେ ଗ୍ୟାରେଜ ଉପରେ ଭରସା କରି ବଞ୍ଚୁଥିବା ଲୋକମାନେ ବାସହରା ହୋଇଯାଇଛନ୍ତି। ଯାହା ଫଳରେ ସେମାନଙ୍କ ଜୀବନ ଜୀବିକା କରିବା କଷ୍ଟସାଧ୍ୟ ହୋଇପଡିଛି। ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗ୍ୟାରେଜ ୟୁନିଅନର ଶତାଧିକ କର୍ମକର୍ତ୍ତା ଯାଇ ଦାବି ଜଣାଇବା ସହ ଆଗାମୀ ଦିନରେ ୩୦ଜଣ ଗ୍ୟାରେଜ ମାଲିକଙ୍କୁ ଅଟୋନଗର କରି ଥଇଥାନ କରିବାକୁ ଦାବି କରିଛନ୍ତି।

ପ୍ରକାଶ ଥାଉକି ବହୁ ବର୍ଷ ପୂର୍ବେ ତତ୍କାଳୀନ କୋରାପୁଟ ଜିଲ୍ଲାପାଳ ଅପରାଜିତା ଷଡଙ୍ଗୀ ଦୂରଦୃଷ୍ଟି ରଖି ଜୟପୁର‌ ପୌରପାଳିକାରେ ଅଟୋନଗର କରିବାକୁ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ ସହରର ଶତାଧିକ ଗ୍ୟାରେଜ୍, ଯନ୍ତ୍ରାଂଶ ବିକ୍ରି ଦୋକାନୀ, ଟ୍ରକ୍‌ ଓ ବସ୍‌ ମାଲିକମାନେ ସ୍ବାଗତ କରିଥିଲେ। ତା’ ପରେ କିଛି ବର୍ଷ ଧରି ଏହି ପ୍ରସ୍ତାବକୁ ନେଇ ତର୍ଜମା କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରସ୍ତାବକୁ ନେଇ ଅଟୋନଗର କରିବା ପାଇଁ ସବୁ ପାରିଷଦ ବୈଠକ ଗୁଡିକରେ ବି ଆଲୋଚନା ହୋଇ ଆସୁଥିବା ବେଳେ ସମ୍ପ୍ରତି ଏହା କୋମାକୁ ଚାଲିଯାଇଛି କି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ସୂଚନ‌ାଯୋଗ୍ୟ, ଦିନକୁ ଦିନ ଜୟପୁର ସହରର ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଭିନ୍ନ ରକମର ବ୍ୟବସାୟିକ ପ୍ରତିଷ୍ଠାନ ବି ବୃଦ୍ଧି ପାଇବାରେ ଲାଗିଛି। ସେଭଳି ଜୟପୁର ମୁଖ୍ୟ ଟ୍ରାଫିକ ଛକ ରୁ ଢ଼େପଗୁଡା -ଗାନ୍ଧୀଛକ -ହାଟପଦା ପର୍ଯ୍ୟନ୍ତ ରହିଥିବା ଗ୍ୟାରେଜ ଏବେ ବୃଦ୍ଧି ପାଇବା ସହ ଗେଟ୍ ଗୁଡା, ବାରିଣୀପୁଟ ପର୍ଯ୍ୟନ୍ତ ଲମ୍ବି ଯାଇଛି। ଅପରପକ୍ଷରେ ଗାନ୍ଧୀଛକରୁ ବାଇପାସ (ରିଂରୋଡ)ର ୱେଲୋ ବ୍ରିଜ୍ ଛକରୁ ପାୱାରହାଉସ ଶାନ୍ତିନଗର ପର୍ଯ୍ୟନ୍ତ ବିଭିନ୍ନ ଗ୍ୟାରେଜ୍ ଲମ୍ବିଗଲାଣି। ଏହା ସାଙ୍ଗକୁ ଜୟପୁରରେ ୪ଟି ଚାରି ଚକିଆ ଯାନବାହାନଓ ୬ଟି ବାଇକ୍ କଂପାନୀର ସୋ’ ରୁମ ବି ମୁଖ୍ୟଟ୍ରାଫିକ ଛକରୁ ବାରିଣୀପୁଟ ମଧ୍ୟରେ ଖୋଲି ଯାଇଛି। ଏସବୁ ସୋ ରୁମ ମଧ୍ୟ ଜାତୀୟ ରାଜପଥର ପାର୍ଶ୍ବରେ ରହିଛି। ଗ୍ୟାରେଜ ଓ ସୋରୁମ, ସର୍ଭିସ ଷ୍ଟେସନ୍ ଆଦିର ଗହଳି ଦିନକୁ ଦିନ ସହରରେ ବଢ଼ିବା ସହ ଏଥି ଯୋଗୁଁ ଟ୍ରାଫିକ ସମସ୍ୟା ବି ବହୁତ ଦେଖିବାକୁ ମିଳିଛି। ରାସ୍ତାର ଦୁଇ ପାର୍ଶ୍ବରେ ଯନ୍ତ୍ରାଂଶ ମରାମତି ଗାଡ଼ି ଓ ନୂଆ ଗାଡ଼ି ଗୁଡିକ ଦିନ ରାତି ସେଭଳି ରହିବା ଫଳରେ ସବୁ ‌ବେଳେ ରାସ୍ତା ସଂକୀର୍ଣ୍ଣ ହୋଇ ରହିବା ସହ ଛୋଟ ବଡ ଦୁର୍ଘଟଣା ନିୟମିତ ଜାରି ରହୁଛି।ଏହାକୁ ଦୁରେଇବା ପାଇଁ ତତ୍କାଳୀନ ଜିଲ୍ଲାପାଳ ଶ୍ରୀମତି ଷଡଙ୍ଗୀ ଯେଉଁ ଚିନ୍ତା କରିଥିଲେ ତାହା ଆଜି କାର୍ଯ୍ୟକାରୀ ହୋଇଥିଲେ ନୂଆ ରେ ବାଇପାସ୍ ରାସ୍ତାର ଆବଶ୍ୟକତା ପଢ଼ି ନଥାନ୍ତା ବୋଲି ବହୁ ବୁଦ୍ଧିଜୀବୀ କହିଛନ୍ତି। ଯଦିବା ବାଇପାସ୍ ରାସ୍ତା ନିର୍ମାଣ ହେଲେ ସୁଦ୍ଧା ନୂଆ ‌ଅଟୋନଗର କରାଯିବାର ନିହାତି ରୂପେ ଆବଶ୍ୟକତା ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande