ଭୁବନେଶ୍ୱର , ଜୁନ ୨୧ (ହି.ସ.) - ଅନାଦି
ଅନନ୍ତ କାଳରୁ ଭାରତରେ ଜନ୍ମ ନେଇଥିବା ଯୋଗ ଅଭ୍ୟାସ ବିଶ୍ୱରେ ଏକ ଜନଆନ୍ଦୋଳନରେ ପରିଣତ ହେଉଛି ।
ଯୋଗ ; ଶାରିରୀକ, ମାନସିକ ଓ
ଆଧ୍ୟାତ୍ମିକ ଚେତନାର ବୈଜ୍ଞାନିକ ପ୍ରୟୋଗ ବୋଲି ଶନିବାର ସମ୍ବଲପୁରରେ ୧୧ତମ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଳନ କରିବା
ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ସମ୍ବଲପୁରର ମାଆ ସମଲେଶ୍ୱରୀଙ୍କ ପୀଠ ଓ ମହାନଦୀର ଉପକୂଳ ଅଞ୍ଚଳରେ ସମ୍ବଲପୁରର ଜନସାଧାରଣଙ୍କ ସହ
ଯୋଗ କରିବା ସହ ଏହି ଦିବସର ଶୁଭେଚ୍ଛା ଜଣାଇଥିଲେ । ବିଶେଷ ଭାବରେ ସ୍କୁଲରୁ ବିଶ୍ୱବିଦ୍ୟାଳୟ
ସ୍ତରର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ସାମାଜିକ ସଂଗଠନ, ସରକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ସଂଗଠନର ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କ ସହ ସମବେତ ହୋଇ
ଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଯୋଗ ଦିବସ -୨୦୨୫
ବିଷୟବସ୍ତୁ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ
ଧନ୍ୟବାଦ ଜଣାଇଥିଲେ ।
ସେ କହିଥିଲେ ଯୋଗ ଭାରତର
ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ୨୦୧୪ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଜୁନ ୨୧କୁ
ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ
। ଭାରତର ପ୍ରସ୍ତାବକୁ ୧୫୦ରୁ ଅଧିକ ଦେଶ ସମର୍ଥନ ଦେଇଥିଲେ । ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ
ଯୋଗ ଏକ ସିଦ୍ଧ ଉପଚାର ଅଟେ । ବ୍ଲଡ ପ୍ରେସର, ମଧୁମେହ ଭଳି ରୋଗକୁ ପ୍ରତିହତ କରିବା ପାଇଁ ଆମକୁ ଏକ ସୁସ୍ଥ
ଜୀବନଶୈଳୀକୁ ବିକଶିତ କରିବା ପାଇଁ ପଡ଼ିବ । ଏଥିପାଇଁ ଜାତୀୟ ଶିକ୍ଷା ନୀତିରେ ମଧ୍ୟ
ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ବିଶେଷ ଗୁରୁତ୍ୱ
ଦିଆଯାଇଛି ।
ସମ୍ବଲପୁରର ଗୋଟିଏ ଚରିତ୍ର, ସଂସ୍କୃତି ଓ
ଉତ୍ସାହ ଅଛି । ଶାରିରୀକ ସୁସ୍ଥତାରେ ସମ୍ବଲପୁର ରାଜ୍ୟ ଓ ଦେଶର ପ୍ରମୁଖ ଅଞ୍ଚଳ ଭାବରେ ଉଭା
ହେଉଛି । କ୍ରୀଡ଼ା, ବ୍ୟୟାମ, କୁସ୍ତି ତଥା ପ୍ରାତଃ ଭ୍ରମଣ ଓ ସଂଧ୍ୟା ଭ୍ରମଣ ଲୋକମାନଙ୍କ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ
ଅଙ୍ଗ ହୋଇଛି । ସମସାମୟିକ ସମୟରେ ଆମକୁ ସମ୍ବଲପୁରକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ପଡ଼ିବ ।
ଆଗାମୀ ଦିନରେ ଯେପରି ସମ୍ବଲପୁର ଜିଲ୍ଲାର ପ୍ରତିଟି ଗାଁର ନାଗରିକମାନେ ଯୋଗ ଦିବସ ପାଳନ କରିବେ, ସେ ଦିଗରେ ଆମେ
ପ୍ରସ୍ତୁତି କରିବା ଦରକାର । ମା’ସମଲେଶ୍ୱରୀଙ୍କ ଆଶୀର୍ବାଦରେ ଜିଲ୍ଲାର ନାଗରିକଙ୍କ ମଧ୍ୟରେ
ସମ୍ପନ୍ନତା ଆଣିବା ପାଇଁ ପ୍ରୟାସ କରିବା ସହ ସୁସ୍ଥ ଓ ସୁଖୀ ଜୀବନଯାପନ ପାଇଁ ଯୋଗକୁ ଗ୍ରହଣ
କରିବା ପାଇଁ ଶ୍ରୀ ପ୍ରଧାନ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ ।
ଏହି ଯୋଗ କାର୍ଯ୍ୟକ୍ରମର
ଆୟୋଜନ ପାଇଁ ଶ୍ରୀ ପ୍ରଧାନ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ ।
କେନ୍ଦ୍ରମନ୍ତ୍ରୀଙ୍କ ସହ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ
ମଧ୍ୟ ଯୋଗ ପାଳିଥିଲେ । ଉଲ୍ଲେଖନୀୟ ଯେ ବିଶାଖାପାଟଣାରୁ ପ୍ରଧାନମନ୍ତ୍ରୀଙ୍କ ଯୋଗ କାର୍ଯ୍ୟକ୍ରମର
ସିଧା ପ୍ରସାରଣ ମଧ୍ୟ ଏଠାରେ ପ୍ରସାରିତ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା