ଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର ପ୍ରତୀକ ପଦ୍ରଶ୍ମୀ ହଳଧର ନାଗ- ଧର୍ମେନ୍ଦ୍ର ପ୍ରଧାନ
ପୋତାପାଲି/ସମ୍ବଲପୁର/ଭୁବନେଶ୍ୱର, ୨୮ ଜୁନ୍ (ହି.ସ.)- ଲୋକ କବିରତ୍ନ, ଯାଦବ ରତ୍ନ ଆଦି ଅନେକ ସମ୍ମାନରେ ଭୂଷିତ ପଦ୍ରଶ୍ମୀ ହଳଧର ନାଗ ହେଉଛି ଭାରତର ଜଣେ ଉଜ୍ଜ୍ୱଳ ରତ୍ନ । ଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର ଅନ୍ୟତମ ପ୍ରତୀକ । ସମ୍ବଲପୁରୀ ଭାଷାକୁ ସୁସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶନିବାର ବରଗଡ଼ ବରହାଗୁଡ଼ା ଠାରେ ସମ୍ବଲପୁରୀ ଭାଷାର ପ୍ରଥିତଯଶା ଲୋକକବି ପଦ୍ମଶ୍ରୀ ହଳଧର ନାଗ ଓ ତାଙ୍କ ସାହିତ୍ୟ ସଂକ୍ରାନ୍ତରେ ଆୟୋଜିତ ଦ୍ୱି-ଦିବସୀୟ ଜାତୀୟ ଆଲୋଚନା ଚକ୍ର “ହଲଧର – ସଜନ ଆର୍ ଦର୍ସନ” କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସାହିତ୍ୟ ଅନୁଷ୍ଠାନ ଅଭିମନ୍ୟୁ ସାହିତ୍ୟ ସଂସଦ, ଘେଁସ ଏବଂ କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନ, ବରଗଡ଼ର ମିଳିତ ଉଦ୍ୟମରେ ଆୟୋଜିତ ଏହି ସେମିନାରକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ବରଗଡ଼ ଭଳି ସାରସ୍ୱତ କେନ୍ଦ୍ରସ୍ଥଳୀରେ ଏହି ସେମିନାର ସ୍ୱାଗତଯୋଗ୍ୟ । ଲୋକକବି ହଳଧର ନାଗଙ୍କ ସାହିତ୍ୟକୁ ନେଇ ଦୁଇଦିନ ଧରି ଆୟୋଜିତ ହେଉଥିବା ଏହି ବହୁଭାଷୀ ଜାତୀୟ ସେମିନାରରେ ଓଡ଼ିଶା ତଥା ଓଡ଼ିଶା ବାହାରର ଅନେକ ଗବେଷକ ଯୋଗ ଦେବା ପ୍ରଶଂସନୀୟ । ଏହା ସମ୍ବଲପୁରୀ ଭାଷାକୁ ସର୍ବଭାରତୀୟ ସ୍ତରରେ ପରିଚିତ କରିବାରେ ବିଶେଷ ସହାୟକ ହେବ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜନୈକ ବ୍ୟକ୍ତିକୁ ଲେଖାରେ ସକ୍ରିୟ କରିବାର ମାଧ୍ୟମ ହେଉଛି ସାହିତ୍ୟ । ବୌଦ୍ଧିକ ତରଙ୍ଗକୁ ନିରନ୍ତର ସଞ୍ଚାଳିତ କରି ନୂଆ ଆବେଗ ତିଆରି କରିବାର ନାଁ ହେଲା ସାହିତ୍ୟ । ସାହିତ୍ୟ ଅମର । ସମସ୍ତେ ସାହିତ୍ୟିକ ହୋଇପାରନ୍ତିନି । କିନ୍ତୁ ସମସ୍ତଙ୍କ ମଧ୍ୟରେ ସାହିତ୍ୟ ଥାଏ ତଥା ସାହିତ୍ୟର ଆବଶ୍ୟକତା ରହିଥାଏ । କ୍ୱଚିତ୍ ଲୋକମାନେ ସେହି ବିଚାର ଓ ଆବେଗକୁ ଲୋକଭାଷା ବା ମାତୃଭାଷାରେ ପରିପ୍ରକାଶ କରିବାର କ୍ଷମତା ରଖିଥାନ୍ତି । ସେହିଭଳି ଜଣେ ବ୍ୟକ୍ତିବିଶେଷ ହେଉଛନ୍ତି ହଳଧର ନାଗ । ତାଙ୍କର ସାହିତ୍ୟ ରଚନାରେ ଥିବା ଦର୍ଶନ, ତତ୍ତ୍ୱର ପଟାନ୍ତର ନାହିଁ । ତାଙ୍କର ଲେଖନୀ ଚାଳନା ଆହୁରି ପ୍ରଶଂସିତ ହେବା ନେଇ ସବୁ ସ୍ତରରେ ଉଦ୍ୟମ ହେବା ଦରକାର ।
ସେ ଆହୁରି କହିଛନ୍ତି ଯେ ମାତୃଭାଷାରେ ମୌଳିକ ଚିନ୍ତନର ସଠିକ୍ ପରିପ୍ରକାଶ ହୋଇଥାଏ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ପ୍ରଣୀତ ହୋଇଥିବା ଜାତୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସବୁ ଭାଷାକୁ ରାଷ୍ଟ୍ରୀୟ ଭାଷା ବୋଲି ଅଭିହିତ କରିଛନ୍ତି । ଓଡ଼ିଆ ଭାଷା ଓ ସମ୍ବଲପୁରୀ ଭାଷା, ଉଭୟ ରାଷ୍ଟ୍ରୀୟ ଭାଷା । ଛାତ୍ରଛାତ୍ରୀଙ୍କର ସୃଜନଶୀଳତା ବିକଶିତ କରିବାକୁ ହେଲେ ମାତୃଭାଷାରେ ଶିକ୍ଷା ଦେବା ଜରୁରୀ । ଭାରତକୁ ପୁଣି ଥରେ ବିଶ୍ୱର ଶିଖରରେ ପହଞ୍ଚାଇବାକୁ ହେଲେ ଆମକୁ ଭାରତୀୟ ଭାଷାକୁ ଅଗ୍ରାଧିକାର ଦେବାକୁ ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ ହଳଧର ନାଗଙ୍କ ଉପରେ ଲିଖିତ କିଛି ପୁସ୍ତକ, ଗ୍ରନ୍ଥାବଳୀ ଏବଂ ସଂକଳନକୁ ଉନ୍ମୋଚନ କରିଥିଲେ । ରାଜ୍ୟ ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ସମେତ ବରଗଡ଼ ସାଂସଦ, ବିଧାୟକଗଣ ଏବଂ ଜନପ୍ରତିନିଧିମାନେ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା