ଡେରାଡୁନ, ୨୯ ଜୁନ୍ (ହି.ସ.)- ଗତ ତିନି ଦିନ ଧରି ଉତରାଖଣ୍ଡରେ ଲାଗି ରହିଥିବା ବର୍ଷା ଏବେ ବିପର୍ଯ୍ୟୟରେ ପରିଣତ ହୋଇଛି । ଗଢ଼ବାଲର ଶ୍ରୀନଗରରେ ଅଳକନନ୍ଦାର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଉପର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁଁ, ଜିବିକେ ଡ୍ୟାମ୍ ଶ୍ରୀନଗରରୁ ଆଗକୁ ପ୍ରାୟ ୨୫୦୦-୩୦୦୦ କ୍ୟୁମେକ୍ସ ପାଣି ଛଡାଯିବାକୁ ନେଇ ପୌଡ଼ି ଜିଲ୍ଲା ମାଜିଷ୍ଟ୍ରେଟ୍ କୀର୍ତିନଗର, ଦେବପ୍ରୟାଗ, ତପୋବନ, ମୁନିକିରେତି ଅଂଚଳରେ ନଦୀକୂଳିଆ ଇଲାକାରେ ନିରନ୍ତର ସତର୍କତା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ବିଜ୍ଞାନ କେନ୍ଦ୍ର ଡେରାଡୁନ ଆଗାମୀ ୨୪ ଘଂଟା ପାଇଁ ସତର୍କତା ଜାରି କରିଛି । ଚାରଧାମ ଯାତ୍ରା ମାର୍ଗରେ ଅତ୍ୟଧିକ ବର୍ଷା ଓ ରାସ୍ତା ଅବରୋଧ ଏବଂ କାଦୁଅ ମାଟି ଯୋଗୁଁ ଚାରଧାମ ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ଅଟକାଯାଉଛି । ତିହରି ଗଡ଼ବାଲ ଜିଲ୍ଲା ଅନ୍ତର୍ଗତ ଚାରଧାମ ଯାତ୍ରା ରୁଟରେ ଢାଲୱାଲା, ତପୋବନ, ଦେବପ୍ରୟାଗ, କୀର୍ତିନଗର, ନରେନ୍ଦ୍ରନଗର, ଚମ୍ବା, କଣ୍ଡିସୌଡ଼, ଲମ୍ବଗାଓଁ, ଚମିୟାଲା, ଘନସାଲିରେ ଯାତ୍ରୀମାନଙ୍କୁ ସୂଚନା ଦେଇ ସେମାନଙ୍କୁ ଅଟକାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ