ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) – ଅଲ୍ ଓଡ଼ିଶା ଟ୍ରକ ମାଲିକ ମହାସଂଘ ତରଫରୁ ୧୬ ଦଫା ଦାବି ପୂରଣ ନିମନ୍ତେ ମଙ୍ଗଳବାର କସ୍ତୁରବା ନାରୀ ମହଲଠାରେ ଏକ ବୈଠକ ଅନୁଷ୍ଠିତ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ମହାସଂଘ ତରଫରୁ ଦର୍ଶାଯାଇଛି ଯେ, ମିଲିୟନ ମିଲିୟନ ଟନ୍ ଖଣିଜ ଦ୍ରବ୍ୟ ଉତ୍ପାଦନ ହେଉଥିବା ବେଳେ ୧୦ ପ୍ରତିଶତରୁ କମ୍ ମାଲ ଟ୍ରକ ଦ୍ୱାରା ପରିବହନ ହେଉଥିବାରୁ ଏହା ଟ୍ରକମାଲିକମାନଙ୍କୁ ଅଣଦେଖା କରାଯାଉଛି, ତେଣୁ କୋଇଲା ଏବଂ ଆଇରନ ଟ୍ରେନ ଏବଂ ଟ୍ରକ ଦ୍ୱାରା ୬୦:୪୦ ଭାଗରେ ପରିବହନ ହେଉ। ଦୀଘବର୍ଷ ହେବ ଟ୍ରକ ଦ୍ୱାରା ପରିବହନ ଭଡ଼ା ଧାର୍ଯ୍ୟ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି, ତେଣୁ କିଲୋମିଟର ପ୍ରତି ୬ଟଙ୍କା ୫୦ ପଇସା ଲାଗୁ କରାଯାଉ। ପାଇପ ଲାଇନ ଦ୍ୱାରା ଖଣିଜ ଦ୍ରବ୍ୟ ପରିବହନ ବନ୍ଦ କରାଯାଉ, ନଚେତ ସମସ୍ତ ଗାଡ଼ିର ଲୋନ ଉଠାଇ ଦିଆଯାଉ, ସ୍ଲରୀ ପାଇପ ଲାଇନରେ ପରିବହନ ଆରମ୍ଭ ହୋଇଯାଇଥିବାରୁ ଅଂସଖ୍ୟ ଟ୍ରକ ମାଲିକମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି, ତତ୍ସହିତ ନଦୀ ମରିଯିବାକୁ ବସିଲାଣି, ଅସଂଖ୍ୟ ଜଙ୍ଗଲୀ ଜୀବଜନ୍ତୁ କରିଯିବେ, ତେଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍ଲରୀ ଲାଇନ କାର୍ଯ୍ୟକ୍ରମ ବନ୍ଦ କରଯାଉ, ସ୍ଲରୀ ଦ୍ୱାରା ପରିବହନ କରାଗଲେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇବେ, କେବଳ ଶିଳ୍ପପତି ରପ୍ତାନୀକାରୀମାନଙ୍କ ଲାଭ ବଢିବ, ସରକାର ଓ ସାଧାରଣ ଲୋକ ଉଭୟ ବ୍ୟାପକ କ୍ଷତିଗ୍ରସ୍ତ ହେବେ। ପାର୍କିଂ ସହ ଡ୍ରାଇଭର ବିଶ୍ରାମ ବ୍ୟବସ୍ଥା ପ୍ରମୁଖ ସ୍ଥାନମାନଙ୍କରେ ହେବା ଅତ୍ୟନ୍ତ ଆବଶ୍ୟକ, ଏହି ସୁବିଧା ଯେଉଁଠି ନାହିଁ, ସେଠାରେ ମନଇଚ୍ଛା ନୋ ପାର୍କିଂ ଜୋରିମାନା ବନ୍ଦ କରାଯାଉ। ମଦ୍ୟପାନ କରିଥିବା ଡ୍ରାଇଭର ଧରାପଡ଼ିଲେ ଡ୍ରାଇଭରକୁ ଅଟକ ସହ ଜୋରିମାନା ବା ଦଣ୍ଡ ଦିଆଯାଉ, ମାତ୍ର ଗାଡ଼ିକୁ ଜବତ କରିବା ବନ୍ଦ କରାଯାଉ, ବିନା କାରଣରେ ଗାଡ଼ି ମାଲିକ ୧୦ ହଜାର ଟଙ୍କା ଜୋରିମାନା ଓ ଓକିଲ ଖର୍ଚ୍ଚ ୩ ହଜାର ଟଙ୍କା ଦେବା ସହ ଗାଡ଼ି ପାଖାପାଖି ୧୦-୧୫ଦିନ ଥାନାରେ ଅଟକି ରହୁଛି, ଏହା ପୁନର୍ବିଚାର କରାଯାଉ। ଗାଡ଼ି ବ୍ୟବସାୟକୁ ଏମ୍ଏସ୍ଏମ୍ଇ ଦାୟିରା ଭିତରେ ନିଆଯାଉ। ପୋଲିସ୍ ଦ୍ୱାରା ଗାଡ଼ି ଯାଞ୍ଚ ବନ୍ଦ କରାଯାଉ। ଟିପ୍ପର ଗାଡ଼ି ଦ୍ୱାରା ବାଲି ପରିବହନ କରୁଥିବା ମାଲିକମାନଙ୍କୁ ବାଲି ମାଫିଆ କହି ଗାଡ଼ିକୁ ଜବତ ଏବଂ ଜୋରିମାନା ନ କରି ବାଲିଘାଟକୁ ଜବତ କରିବା ଏବଂ ଜୋରିମାନା କରାଯାଉ, ପ୍ରତ୍ୟେକ ବାଲି ପଥର ଖଣିରେ ସିସିଟିଭି କ୍ୟାମେରା ସହ ଓଜନ କଣ୍ଟା ଲଗାଯାଉ ଏବଂ ବାଲି, ଗୋଡ଼ି ଉତୋଳନ ବାବଦ ରାଜସ୍ୱ ଅନଲାଇନ ଦ୍ୱାରା ଆଦାୟ କରି ଗାଡ଼ିମାନଙ୍କରେ ଲୋଡ଼ିଂ ଏବଂ ଟ୍ରାଞ୍ଜିଟ ପାସ୍ ସହ ପରିବହନ ପାଇଁ ଅନୁମତି ଦିଆଗଲେ ସମସ୍ତ ସମସ୍ୟାର ସମାଧାନ ହେବା ସହ ରାଜ୍ୟ ରାଜକୋଷ ବୃଦ୍ଧି ପାଇବ। ଟ୍ରକ ମାଲିକମାନଙ୍କ ପାଇଁ ସରକାର ଏକ ୱେଲଫେୟାର ବୋର୍ଡ଼ ଗଠନ କରନ୍ତୁ, ଯେଉଁ ବୋର୍ଡ଼ ଦ୍ୱାରା ସାଧାରଣ ଟ୍ରକ ମାଲିକ ନିଜର ସମସ୍ୟା ସରକାରଙ୍କ ନିକଟରେ ସହଜରେ ଉପସ୍ଥାପନ କରିପାରିବେ। ରାଜ୍ୟରେ ଛୋଟ ବଡ଼ ଦୁର୍ଘଟଣାରେ ଯେଉଁ ସାଧାରଣ ଜନତା ଗଣ୍ଡଗୋଳ କରି ଡ୍ରାଇଭରମାନଙ୍କୁ ବାଡ଼ଉଛନ୍ତି, ଗାଡ଼ି ଭାଙ୍ଗୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ ଗିରଫ କରାଯାଉ, ଫଳରେ ଭବିଷ୍ୟତରେ ସାଧାରଣ ଜନତା ଆଇନକୁ ହାତକୁ ନେବାକୁ ଭୟ କରିବା ସହ ନିରୀହ ଡ୍ରାଇଭର ଓ ଗାଡ଼ିମାଲିକ ମାନସିକ ଓ ଶାରୀରିକ ଯନ୍ତ୍ରଣାରୁ ମୁକ୍ତି ପାଇବେ। ବାହାର ରାଜ୍ୟର ବଡ଼ ବଡ଼ କର୍ପୋରେଟ ସଂସ୍ଥା, ପରିବହନ କମ୍ପାନୀମାନେ ଯେଉଁ ଅଂସଖ୍ୟ ଗାଡ଼ି କିଣି ନିଜ ପରିବହନ କାମରେ ନିୟୋଜିତ କରି ଆମ୍ଭ ଭଳି ଗୋଟିଏ ଟ୍ରକଥିବା ମାଲିକମମାନଙ୍କ ଦାନାପାଣି ବୁଡ଼ାଉଛନ୍ତି, ସେମାନଙ୍କ ଉପରେ ଅଙ୍କୁଶ ଲଗାଇବା ସହ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଉ। ଗୋଟିଏ ଟ୍ରକରେ ସବୁବେଳେ ବହୁଳ ଭାବେ ବ୍ୟବହୃତ ହେଉଥିବା ଟାୟାର ଏବଂ ବ୍ୟାଟେରୀ ଉପରେ ଜିଏସ୍ଟି ୨୮% ବଦଳରେ ୧୮% ଲାଗୁ କରାଯାଉ ଯାହାକି ଭାରତବର୍ଷର ସମସ୍ତ ଗାଡ଼ି ମାଲିକ ଉପକୃତ ହେବେ। ମାନ୍ୟବର ସୁପ୍ରିମକୋର୍ଟ ବାରମ୍ବାର ତାଗିଦ କରିବା ସତ୍ୱେ ବ୍ୟାଙ୍କ କର୍ମଚାରୀ ଭଡ଼ାଟିଆ ଗୁଣ୍ଡା ଲଗାଇ ଟ୍ରକ ହରିଲୁଟ କରି ନେଉଛନ୍ତି ଏବଂ ୧୦ ହଜାରରୁ ୨୦ ହଜାର ଟଙ୍କା ଦାଦା ବଟି ନେଲେ ଛାଡୁଛନ୍ତି। ଏହାକୁ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ ଗାଡ଼ିମାଲିକଙ୍କୁ କୌଣସି ସାହାଯ୍ୟ ମିଳୁନାହିଁ, ଏଥିପାଇଁ ରାଜ୍ୟ ସରକାର, ରାଜ୍ୟ ପୋଲିସ୍ ମୁଖ୍ୟଙ୍କ ସହ ଆଲୋଚନା କରି ଆଇନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ। ଯେଉଁ ସରକାରୀ ଓ ବେସରକାରୀ କମ୍ପାନୀମାନେ ଗାଡ଼ି ମାଲିକଙ୍କ ଉପରେ ଜୋର ଜବରଦସ୍ତ ଅତ୍ୟଧିକ ପରିମାଣର ମାଲ ଲୋଡ଼ିଂ କରୁଛନ୍ତି ସେମାନଙ୍କ ଉପରେ ଜୋରିମାନା କରାଯାଉ, ଗାଡ଼ି ଡ୍ରାଇଭର ଲୋଡ଼ିଂ ବେଳେ ଜାଣିପାରିବେ ନାହିଁ କେତେ ଓଜନର ମାଲ ଲୋଡ଼ିଂ କରାଗଲା, ଲୋଡ଼ିଂ ପଏଣ୍ଟରେ ଓଜନ କଂଟା ରହିବା ବାଧ୍ୟତାମୂଳକ କରାଯାଉ ଓ ଗାଡ଼ି ମାଲିକଙ୍କ ଉପରେ ଜୋରିମାନା ବନ୍ଦ କରାଯାଉ। ମହାସଂଘ ତରଫରୁ ୧୪ ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ପରିବହନ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।
ଏହି ଗଣଧାରଣାରେ ମହାସଂଘର ରାଜ୍ୟ ସଭାପତି ପୁରଞ୍ଜନ ପାଢୀ, ଗଣେଶ ମାହାରି, ଫିରୋଜ ଖାନ, ପର୍ବିନ ପରୱାନା, ଏସ୍.କେ ତାଞ୍ଜିମ୍ ଅହମ୍ମଦ ଚିସ୍ତି, ଜହର ଅଲ୍ଲୀ ଖାନ, ତପନ ବେହେରା, ମାନସ, ବୀରେନ, ମାନ୍ଧେତା, ପତିତପାବନ, ସସ୍ମିତା, ଦାମୋଦର, ଅବଦୁଲ, ମୁକୁନ୍ଦନାଥ, ଓଁକାର ପ୍ରମୁଖ ଯୋଗଦାନ କରିଥିଲେ। ଯଦି ରାଜ୍ୟ ସରକାର ମହାସଂଘର ୧୪ଦଫା ଦାବିକୁ ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମହାସଂଘ ତରଫରୁ ଚେତାବନୀ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ