ସାଲେପୁର, ୧ ଜୁଲାଇ (ହି.ସ.) - କୃଷି ଓ କୃଷକର ବିକାଶ କରି ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟକୁ ବହୁଗୁଣ ବଢାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକଶିତ କୃଷି ସଂପର୍କ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ମାହାଙ୍ଗା ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତରଫରୁ ବିଭିନ୍ନ ପଂଚାୟତରେ ବିକଶିତ କୃଷି ସଂପର୍କରେ ସଚେତନତା ସୃଷ୍ଟି ନିମନ୍ତେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଠି ପ୍ରଶ୍ନ ଉଠୁଛି ଏଥିପାଇଁ ସରକାର କେତେ ଟଙ୍କା ପ୍ରଦାନ କରିଛନ୍ତି କେତୋଟି ପଂଚାୟତରେ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି। ଗୋଟିଏ ଗୋଟିଏ ପଂଚାୟତରେ କରାଯାଇଥିବା କାର୍ଯ୍ୟକ୍ରମରେ କେତେ କେତେ ଟଙ୍କା ଖର୍ଚ୍ଚ ହୋଇଛି । ଏପରିକି କୃଷି ସଚେତନତା ରଥ ବୁଲାଇବାରେ ମାହାଙ୍ଗା ବ୍ଲକ କୃଷି କାର୍ଯ୍ୟଳୟ ତରଫରୁ କେତେଟଙ୍କା ଖର୍ଚ୍ଚ କରାଯାଇଛି । ଏହି କାର୍ଯ୍ୟକ୍ରମ ଫଳରେ ଚାଷୀଙ୍କର କ’ଣ ଉପକାର ହୋଇଛି ସେ ସଂପର୍କରେ ସାଧାରଣରେ ଆଲୋଚନା ଯୋରଦାର ହୋଇଛି । ଅପରପକ୍ଷରେ ମାହାଙ୍ଗା ବ୍ଲକ କୃଷି ଅଧିକାରୀ କାର୍ଯ୍ୟାଳୟ ସହିତ ଚାଷୀମାନଙ୍କର ଏକ ପ୍ରକାର ସଂପର୍କ ନାହିଁ । ସରକାର କେଉଁ କେଉଁ ଯୋଜନା କରୁଛନ୍ତି ତାହା କେବଳ ରାଜନୈତିକ ନେତା ଓ ପଂଚାୟତ ସ୍ତରର କର୍ମ ଜାଣନ୍ତି । ଅପରପକ୍ଷରେ ଚର୍ଚ୍ଚା ହେଉଛି ଯେ ଚାଷୀ ମୁଗ ବିହନ ବୁଣି ସାରିବା ପରେ କୃଷି ବିଭାଗ ତରଫରୁ ମୁଗ ଚାଷ ପାଇଁ ବିଭିନ୍ନ ପଂଚାୟତରେ ଚାଷୀଙ୍କୁ ମୁଗ ବିହନ ଔଷଧ ବଣ୍ଟନ କରାଗଲା । ତାହା କିନ୍ତୁ ପ୍ରକୃତ ଚାଷୀ ପାଇଲେ ନାହିଁ । ୮ ପ୍ରକାର ଔଷଧ ଓ ସାରକୁ ବେସରକାରୀ ଅନୁଷ୍ଠାନମାନେ ବିକ୍ରି କରି ଖାଇଦେଲେ । ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ଅଭିଯୋଗର ହେଲା ତଦନ୍ତ ନାହିଁ । ଅପରପକ୍ଷରେ ମାହାଙ୍ଗା ବ୍ଲକରେ ଚାଷୀ ନଳିତା ମଞ୍ଜି ବୁଣି ସାରିବା ପରେ କୃଷକମାନଙ୍କୁ ନଳିତା ମଞ୍ଜି ବଣ୍ଟନ କରାଯାଇଛି । ଏଠି ପ୍ରଶ୍ନ ଉଠୁଛି ଏହି ମଞ୍ଜିକୁ ନେଇ ଚାଷୀ କରିବ କ’ଣ ? ବ୍ଲକ କୃଷି ପରାମର୍ଶ କେନ୍ଦ୍ରରେ କର୍ମଚାରୀ ମରୁଡି । ବିଜେପି ସରକାରକୁ ଏକ ବର୍ଷ ବିତିଗଲା ହେଲେ ମାହାଙ୍ଗା ଅଂଚଳରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଖାଲି ପଡିଥିବା କର୍ମଚାରୀଙ୍କ ପଦବୀ ପୂରଣ ହୋଇ ପାରିଲା ନାହିଁ । କୃଷି କର୍ମଚାରୀ ନାହାଁନ୍ତି, ଚାଷୀଙ୍କୁ ପରାମର୍ଶ ଦେବ କିଏ ? ତେବେ ବିକଶିତ କୃଷି ସଂପର୍କୀତ ଅଭିଯାନ କାହା ସ୍ୱାର୍ଥରେ ଚାଲିଛି । କାଗଜ କଲମରେ ଅଭିଯାନର ସଫଳତା ଦର୍ଶାଇ କୃଷି ବିଭାଗ କୃଷକମାନଙ୍କ ନିମନ୍ତେ ଆସୁଥିବା ଅର୍ଥକୁ ହଡପ କରୁଥିବା ଅଭିଯୋଗ ହେଉଛି । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ବହୁ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର/ରତ୍ନାକର/ଭାନୁ
ହିନ୍ଦୁସ୍ଥାନ ସମାଚାର / ରତ୍ନାକର ବାରିକ୍