ସମ୍ବଲପୁର, ୦୧ ଜୁଲାଇ (ହି.ସ.)
ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦ୍ଵିତୀୟ କ୍ୟାମ୍ପସ ନିର୍ମାଣକାର୍ଯ୍ୟ ସଂପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ ହେବା ଶିକ୍ଷାପ୍ରେମୀଙ୍କ ପାଇଁ ନିରାଶଜନକ ବୋଲି ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ କହିଛନ୍ତି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ(ଜିଏମୟୁ) ଦ୍ଵିତୀୟ କ୍ୟାମ୍ପସ ନିର୍ମାଣକାର୍ଯ୍ୟ ସଂପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ ହେବା ଛାତ୍ରଛାତ୍ରୀଙ୍କ ପାଇଁ କ୍ଷୋଭ ର ବିଷୟ। ଇଂ ପୂଜାରୀ ଏହି ମର୍ମରେ କହିଛନ୍ତି ଯେ, ସମ୍ବଲପୁର ଜିଲ୍ଲା ତଥା ରାଜ୍ୟର ଅନ୍ୟତମ ବିଶିଷ୍ଟ ଶିକ୍ଷାନୁଷ୍ଠାନ ହେଉଛି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଯେଉଁଠାରେ ଖାଲି ସମ୍ବଲପୁର ଜିଲ୍ଲା ନୁହେଁ ବର୍ତ୍ତମାନ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିବା ପାଇଁ ଆସୁଛନ୍ତି। ବର୍ତ୍ତମାନର ସହର ମଧ୍ୟରେ ଥିବା କ୍ୟାମ୍ପସରେ ଭିତ୍ତିଭୂମି ସୀମିତ ଥିବା ବେଳେ ୨୦୨୦ ରେ ରାଜ୍ୟ ସରକାରଙ୍କ ତରଫରୁ ବଡ଼ସିଂହାରୀ ଠାରେ ଜମି ୬୭ ଏକର ପରିମିତ ଜମି ନୂତନ ବିଶ୍ବବିଦ୍ୟାଳୟ ସ୍ତରୀୟ କ୍ୟାମ୍ପସ ନିର୍ମାଣ ପାଇଁ ବନ୍ଦୋବସ୍ତ କରାଯାଇଥିଲା। ଏବଂ ୨୦୨୨ ମସିହାରେ ସେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଥିବାବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଶିଳାନ୍ୟାସ କରିଥିଲେ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଶ୍ଵବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ମଞ୍ଜୁର କରିଥିଲେ। ବର୍ତ୍ତମାନ କେବଳ ଏକାଡେମିକ ବିଲଡିଂ ନିର୍ମାଣ କାର୍ଯ୍ୟକୁ ଛାଡ଼ିଦେଲି ବାକି ସମସ୍ତ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ଏବଂ କେଉଁ କେଉଁ ବିଭାଗ ସ୍ଥାନାନ୍ତରିତ ହେବ ତାହା ମଧ୍ୟ ଆନୁଷ୍ଠାନିକ ଭାବେ ବିଶ୍ୱବିଦ୍ୟାଳୟ ନିଷ୍ପତି ନିଆନଯିବା ଅତ୍ୟନ୍ତ ପରିତାପର ବିଷୟ। ସନ୍ଥ କବି ଭୀମ ଭୋଇଙ୍କ ନାମରେ ବିଶ୍ୱବିଦ୍ୟାଳୟରେ ଏକ ରିସର୍ଚ୍ଚ ଚେୟାର ପ୍ରତିଷ୍ଠା ପାଇଁ ୫ କୋଟି ଟଙ୍କା ସେ ମନ୍ତ୍ରୀ ଥିବା ସମୟରେ ଅନୁମୋଦନ କରିଥିଲେ। ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଗବେଷଣା ପ୍ରକଳ୍ପ ସକାଶେ ରାଜ୍ୟ ସରକାର ତୁରନ୍ତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏହି ରାଶିକୁ ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି । ଏହା ସହ ଇଂ ପୂଜାରୀ ରାଜ୍ୟ ସରକାର ଏବଂ ବିଶ୍ୱବିଦ୍ୟାଳୟ କତୃପକ୍ଷଙ୍କୁ କିଭଳି ତତ୍ପରତାର ସହ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଏବଂ ନୂତନ କ୍ୟାମ୍ପସ ଆରମ୍ଭ ହେବ ସେ ଦିଗରେ ତତ୍ପରତାର ସହ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ