ଜନସାଧାରଣଙ୍କ ଜୀବନକୁ ସହଜ କରିବା ପାଇଁ ଆଧାର ଏକ ପ୍ରକୃଷ୍ଟ ମାଧ୍ୟମ : ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) - ବିଗତ ଏକଦଶନ୍ଧି ମଧ୍ୟରେ ଆଧାର ଭାରତୀୟମାନଙ୍କ ଜୀବନକୁ ସହଜ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି। ଉଦାହରଣ ସ୍ୱରୂପ ଆଧାର ପ୍ଲାଟଫର୍ମ ବ୍ୟବହାର କରି ଓଡ଼ିଶା ସରକାର ଖୁବ୍ ଅଳ୍ପ ଦିନ ମଧ୍ୟରେ ‘ସୁଭଦ୍ରା’ ଭଳି ଯୁଗାନ୍ତକାରୀ ଯୋଜନାର ସଫଳ ରୂପାୟନ କରିପାରିଛନ୍ତି। ଆଧାର ଇକୋ ସିଷ୍ଟମ୍ ର ବ୍ୟାପକ ବ୍ୟବହାର କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏକ ସମ୍ମିଳିତ ପ୍ରୟାସ କ୍ରମେ ରାଜ୍ୟରେ ଥିବା ସମସ୍ତ ସମ୍ଭାବନାକୁ ବାସ୍ତବତାରେ ରୂପାନ୍ତରିତ କରିପାରିଲେ ଓଡ଼ିଶାବାସୀଙ୍କ ଜୀବନ ଜୀବିକାକୁ ଅଧିକ ସହଜ ଓ ସାବଲୀଳ କରାଯାଇ ପାରିବ ବୋଲି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଶାବ୍ୟକ୍ତ କରିଛନ୍ତି।
ୟୁଆଇଡିଏଆଇର ଆଂଚଳିକ କାର୍ଯ୍ୟାଳୟ, ହାଇଦ୍ରାବାଦ ଏବଂ ଓଡ଼ିଶା ସରକାରଙ୍କ ବୈଦୁତିକ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ମିଳିତ ଆନୁକୂଲ୍ୟରେ ଆଧାରର ସର୍ବାଧିକ ଉପଯୋଗିତା ସମ୍ପର୍କିତ ଏକ ରାଜ୍ୟସ୍ତରୀୟ କର୍ମଶାଳା କୃଷି ଭବନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି।
ଆଧାର କାର୍ଡ ଏବେ ଦେଶର ସର୍ବାଧିକ ବ୍ୟବହୃତ ଓ ବିଶ୍ୱାସଯୋଗ୍ୟ ପରିଚୟ ପତ୍ର। ଆଧାର ଅନୁବନ୍ଧନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ। ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଓକାକ୍ ର ନିରନ୍ତର ପ୍ରୟାସ ଫଳରେ ଏହା ସମ୍ଭବପର ହୋଇପାରିଛି । ରାଜ୍ୟର ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କର ଆଧାର ଅନୁବନ୍ଧନରେ ଆହୁରି ଅଧିକ କ୍ରିୟାଶୀଳତାର ଆବଶ୍ୟକତା ରହିଛି। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଏ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ବୈଦ୍ୟୁତିକ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ପ୍ରକାଶ କରିଛନ୍ତି।
ସାଧାରଣରେ ବିଶ୍ୱାସ ରହିଛି ଯେ ଆଧାର ଅନେକ ତଥ୍ୟକୁ ଏକତ୍ରିତ କରୁଛି । କିନ୍ତୁ ବାସ୍ତବରେ ଆଧାର ମାତ୍ର ୭ଟି ଅତି ଆବଶ୍ୟକୀୟ ତଥ୍ୟକୁ ଏକତ୍ରିତ କରି ଭାରତୀୟମାନଙ୍କର ଜୀବନକୁ ଅତି ସହଜ କରିପାରିଛି। ସଂପ୍ରତି ଦେଶର ପ୍ରାୟ ୯୫ ପ୍ରତିଶତ ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି । ଦେଶରେ ପ୍ରତିଦିନ ପ୍ରାୟ ୯.୩୮ କୋଟି ପ୍ରାମାଣୀକରଣ ଆଧାର ମାଧ୍ୟମରେ ସହଜରେ ହୋଇ ପାରୁଛି । ତା’ସହ ଆଧାର ପ୍ଲାଟଫର୍ମ ବ୍ୟବହାର କରାଯାଇ ଦେଶରେ ୨୪ ଶହରୁ ଉର୍ଦ୍ଦ୍ୱ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଲୋକମାନଙ୍କ ପାଖରେ ପହଂଚି ପାରୁଛି। ବ୍ୟାଙ୍କିଙ୍ଗ୍, ବୀମା, ଟେଲିକମ୍ ଭଳି କ୍ଷେତ୍ରର ପ୍ରାୟ ୫୫୦ଟି ସଂସ୍ଥାକୁ ଆଧାର ଇକୋ ସିଷ୍ଟମ୍ ବ୍ୟବହାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦେଶର ବିଭିନ୍ନ ରାଜ୍ୟ ଆଧାର ପ୍ଲାଟଫର୍ମକୁ ବ୍ୟବହାର କରି ନୂତନ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରୁଛନ୍ତି। ଏହି ଯୋଜନାଗୁଡ଼ିକ ଲୋକମାନଙ୍କ ଜୀବନରେ ଆଶାତୀତ ଉନ୍ନତି ଆଣି ପାରିଛି । ଓଡ଼ିଶା ସରକାର ଆଧାର ବ୍ୟବହାର ଓ ନୂତନ ଯୋଜନା ପ୍ରଣୟନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଆଜି ଉଭା ହୋଇଛନ୍ତି ବୋଲି ୟୁଆଇଡିଏଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନେଶ କୁମାର ଓଡିଶା ସରକାରକୁ ପ୍ରଶଂସା କରି କହିଛନ୍ତି ।
କର୍ଣ୍ଣାଟକରେ ଆଧାର ଉପରେ ପର୍ଯ୍ୟବେଶିତ ଭୂମି ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ବ୍ୟାପକ ସଫଳତା ହାସଲ କରାଯାଇପାରିଛି। କାରଣ ଏହି ବ୍ୟବସ୍ଥା ପ୍ରଚଳନ ପରେ ଅନେକ ଲୁକାୟିତ ତଥ୍ୟ ସରକାରଙ୍କ ନଜରକୁ ଆସି ପାରିଥିଲା। ଏହି ବ୍ୟବସ୍ଥାକୁ ବ୍ୟବହାର କରାଯାଇ କର୍ଣ୍ଣାଟକ ଭଳି ଓଡ଼ିଶାର କୃଷକମାନଙ୍କ ଜୀବନ ଜୀବିକାରେ କିପରି ବ୍ୟାପକ ପରିବର୍ତନ କରାଯାଇପାରିବ ସେ ସମ୍ପର୍କରେ କର୍ଣ୍ଣାଟକ ସରକାରଙ୍କ ରାଜସ୍ୱ କମିଶନର ସୁନୀଲ କୁମାର ପୋମାଲ ବର୍ଣ୍ଣନା କରିଥିଲେ।
ଏହି କର୍ମଶାଳାରେ ୟୁଆଇଡିଏଆଇର ବରିଷ୍ଠ ଅଧିକାରୀ ବିବେକ ଚନ୍ଦ୍ର ବର୍ମା, ପି.ସଙ୍ଗୀତା, କର୍ଣ୍ଣେଲ ନିଖିଲ ସିହ୍ନା, ସଂଜୀବ ଯାଦବ ପ୍ରମୁଖ ଆଧୁନିକ ସମୟରେ ଆଧାରର କାର୍ଯ୍ୟକାରିତା ଓ ବିବିଧ ଉପଯୋଗିତା ସମ୍ପର୍କରେ ବିସ୍ତୀର୍ଣ୍ଣ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଆଧାର ଅନୁବନ୍ଧନରେ ଉଲ୍ଲେଖନୀୟ ସଫଳତା ପାଇଁ ଓକାକ୍ ର ସିଇଓ ଡା. ପ୍ରଦୀପ କୁମାର ରାଉତ, ପ୍ରଦୀପ ବିଶୋଇ ଏବଂ ସୁଜିତ କୁମାର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ୟୁଆଇଡିଏଆଇର ଡିଡିଜି ଶ୍ରୀମତୀ ପି. ସଙ୍ଗୀତା ସ୍ୱାଗତ ଭାଷଣ ଦେଇଥିଲାବେଳେ ୟୁଆଇଡିଏଆଇ ରାଜ୍ୟ କାର୍ଯ୍ୟାଳୟର ନିର୍ଦ୍ଦେଶକ ଦେବରାଜ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଆଧାରର ଅଂଶୀଦାରମାନେ ଏହି କର୍ମଶାଳାରେ ଯୋଗଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା