ଧର୍ମଶାଳା,୧ ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ହାଟପଡିଆସ୍ଥିତ ମାଉସୀମା ମନ୍ଦିରରେ ତିନି ଠାକୁର ରହି ପୂଜା ପାଉଥିବା ବେଳେ ଠାକୁରଙ୍କ ଦର୍ଶନ ଲାଗି ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି । । ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ତିନି ଠାକୁର ଶ୍ରୀ ଗୁଣ୍ଡିଚା ଦିନ ରଥାରୁଡ ହୋଇ ମାଉସୀମା ମନ୍ଦିରକୁ ନଅ ଦିନ ପାଇଁ ଆସିଛନ୍ତି । ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିବା ସହ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ପାଉଛନ୍ତି । ଶ୍ରଦ୍ଧାଳୁମାନଙ୍କ ପାଇଁ ମୁନସୀ ମେଲଣ କମିଟି ଓ ଭାଲୁଖାଇ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଠାକୁର ହାଟପଡିଆସ୍ଥିତ ମାଉସୀମା ମନ୍ଦିର ରେ ରହୁଥିବା ବେଳେ ଏଠାକାର ପରିବେଶ ଏବେ ଭକ୍ତିମୟ ହୋଇପଡିଛି । ତେବେ ଗତକାଲି ସନ୍ଧ୍ୟାରେ ଚଣ୍ଡିଖୋଲ ବୀଣପାଣି କଳାନିକେତନର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଆଜି ସନ୍ଧ୍ୟାରେ ଭଜନ କୀର୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଜାରକା ମୟୁରୀ ଡ୍ୟାନ୍ସ ଗୃପ କଳାକାରମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଯାହାକୁ ଦର୍ଶକମାନେ ଭରପୁର ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୁନସୀ ମେଲଣ କମିଟିର ସଭାପତି ତଥା ଥାନା ଅଧିକାରୀ ରଞ୍ଜନ କୁମାର ମାଝି, ସମ୍ପାଦକ ପ୍ରମୋଦ କୁମାର ଦାସ,ଭାଲୁଖାଇ ମନ୍ଦିର କମିଟିର କାର୍ଯ୍ୟକାରୀ ସଭାପତି କଳ୍ପତରୁ ସାହୁ, ସମ୍ପାଦକ ମନୋଜ ରଣା, ମୁନସୀ ମେଲଣ କମିତିର ସଦସ୍ୟ ଗଗନ ବରାଳ,ବିଚିତ୍ର ସ୍ୱାଇଁ,ଚନ୍ଦ୍ରମଣି ପଣ୍ଡିତ,ରବିନ୍ଦ୍ର କୁମାର ମହାନ୍ତି, ଆଲୋକ ଲେଙ୍କା, ଶରତ ଓଝା,ମନୋଜ ରାଉଳ,ପ୍ରବୋଧ ପାତ୍ର, ଅମୀୟ ମହାନ୍ତି ପ୍ରମୁଖ ବହୁ ସଦସ୍ୟ ପରିଚାଳନାରେ ସହାୟତା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ