ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) - ଡାଇରିଆ ପରବର୍ତୀ ଅବସ୍ଥା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଲୋକଙ୍କ ନିରାପଦ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବାପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇଛି । କ୍ଷେତ୍ରୀୟ ସ୍ତରରେ ଉକ୍ତ ସ୍ଥିତିର ସୁପରିଚାଳନା ପାଇଁ କେନ୍ଦୁଝର, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ନିୟୋଜିତ କରାଯାଇଛି।
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ଜନସ୍ୱାସ୍ଥ୍ୟ) ଡକ୍ଟର ପ୍ରମିଳା ବରାଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ କେନ୍ଦୁଝର ଜିଲ୍ଲାରେ ନିୟୋଜିତ କରାଯାଇଛି।ଡକ୍ଟର ବରାଳଙ୍କ ନେତୃତ୍ୱରେ ବିଶେଷଜ୍ଞ ଦଳ ଡାଇରିଆ ପରବର୍ତୀ ସ୍ୱାସ୍ଥ୍ୟ ସେବା ଉପରେ କଡ଼ା ନଜର ରଖିଛନ୍ତି କ୍ଷ ବିଶେଷକରି ଜଳ ଏବଂ ଖାଦ୍ୟଜନିତ ରୋଗ ଉପରେ ଧ୍ୟାନ ଦିଆଯାଉଛି। ସ୍ୱାସ୍ଥ୍ୟ ପରିସ୍ଥିତି ବିଶ୍ଳେଷଣ କରିବା, ଉପଯୁକ୍ତ ପ୍ରତିରୋଧ ଏବଂ ନିୟନ୍ତ୍ରଣ ପଦକ୍ଷେପ କାର୍ଯ୍ୟକାରୀ କରିବା, ଜଳଉତ୍ସ ବିଶୋଧନ ଏବଂ ଡାଇରିଆ ପ୍ରତିରୋଧ ଉପରେ ସୂଚନା-ଶିକ୍ଷା-ସଂଚାର ଉପରେ ଗୁରୁତ୍ୱ ଦିଆଯାଇଛି । ଏହାସହ ସୂଚନା- ଶିକ୍ଷା – ସଂଚାର ମାଧ୍ୟମରେ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି ପିଇବା, ହାଲୋଜେନ ବଟିକା ପକାଇ ଅଧଘଂଟା ପରେ ପିଇବା ପାଣି ବ୍ୟବହାର, ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲଭାବେ ହାତ ଧୋଇବା, ଝାଡାବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ଓ.ଆରଏସ୍ ଦ୍ରବଣ ପିଇବା ଓ ବିଳମ୍ବ ନକରି ଡାକ୍ତରଖାନା ଯିବା ଆଦି ବିଷୟରେ ତୃଣମୂଳ ସ୍ତରରୁ ଜନସଚେତନତା ସୃଷ୍ଟି କରାଯାଉଛି।
ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ପାଇଁ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ବିନୟ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ୍ ବନ୍ୟା ପରିସ୍ଥିତି ସମୟରେ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଏବଂ ଜଳବାହିତ ରୋଗର ରୋକିବା ପାଇଁ ନିୟୋଜିତ କରାଯାଇଛି। ଏହି ଟିମ ମଧ୍ୟ ତୃଣମୂଳ ସ୍ତରରେ ଯେପରି ସୂଚନା-ଶିକ୍ଷା-ସଂଚାର ମାଧ୍ୟମରେ ଜନସଚେତନତା ସୃଷ୍ଟିକରାଯାଇ ପାରିବ ତାହା ସୁନିଶ୍ଚିତ କରୁଛନ୍ତି କ୍ଷ ସାପକାମୁଡା ଜନିତ ଜନସଚେତନତା ଓ ଚିକିତ୍ସା ବିଷୟରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ସାପକାମୁଡ଼ା ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ, ଓଆର୍ ଏସ୍, ହ୍ୟାଲୋଜେନ୍ ଟ୍ୟାବଲେଟ୍ ଆଦି ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି ।
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଜନସାଧାରଣଙ୍କ ନିରାପଦ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ସମନ୍ୱିତ ଭାବରେ କାର୍ଯ୍ୟ କରୁଛି ଓ ସମସ୍ତ ପରିସ୍ଥିତି ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଭାଗୀୟ ନିର୍ଦ୍ଦେଶକ (ଜନସ୍ୱାସ୍ଥ୍ୟ) ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା