ସୁବର୍ଣ୍ଣପୁର, ୧୧ ଜୁଲାଇ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବନ୍ଧ ପାଲି ପଞ୍ଚାୟତ ଅନ୍ତର୍ଗତ ମାଝିମୁଣ୍ଡା ଗ୍ରାମର ଧର୍ମଦାଣ୍ଡି ନାଳରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିବା ଦୁଇ ଭାଇ ଟିକେଶ୍ୱର ବାରିକ ଓ ନିରଞ୍ଜନ ବାରିକଙ୍କ ଶବ ଉଦ୍ଧାର କରିଛି ସ୍ଥାନୀୟ ଅଗ୍ନିଶମ ବାହିନୀ l ଉଭୟ ଦୁଇଜଣ ବ୍ୟକ୍ତି ହେଉଛନ୍ତି ମାଝୀମୁଣ୍ଡା ଗ୍ରାମର ଦୁଇଭାଇ ଟିକେଶ୍ୱର ବାରିକ (୩୫) ଓ ନିରଞ୍ଜନ ବାରିକ (୩୦) l ବିଲରେ ଚାଷ କାମ ସାରି ଦୁଇ ଭାଇ ଧର୍ମଦାଣ୍ଡି ନାଳକୁ ଗାଧୋଇବାକୁ ଯାଇଥିଲେ l ବଡ଼ ଭାଇ ଗାଧୋଉଥିବା ବେଳେ ହଠାତ୍ ପାଣି ମାଡ଼ି ଆସିଥିବାରୁ ସେ ଭାସି ଯାଉଥିବା ଦେଖି ସାନ ଭାଇ ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ l ସ୍ଥାନୀୟ ଲୋକେ ଦୁଇ ଭାଇ ଭାସୁଥିବା ଦେଖି ମଧ୍ୟ ପାଣିର ଅଧିକ ସ୍ରୋତ ଥିବାରୁ ଉଦ୍ଧାର କରିବାକୁ ସାହସ କରି ନ ଥିଲେ l ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଆସି ଖୋଜାଖୋଜି କରିଥିଲେ l କିନ୍ତୁ, ବର୍ଷା ଓ ରାତି ଅନ୍ଧାରରେ ନିଖୋଜ ଭାଈ ଦ୍ୱୟଙ୍କୁ ପ୍ରଥମ ଦିନ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା l ଦ୍ଵିତୀୟ ଦିନ ସକାଳେ ମୃତ ବଡ ଭାଈ ଟିକେଶ୍ୱରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ମୃତ ସାନ ଭାଇ ନିରଞ୍ଜନଙ୍କ ଶବ ଆଜି ତୃତୀୟ ଦିନ ସକାଳେ ଘଟଣାସ୍ଥଳ ଠାରୁ ଦୁଇ କିମି ଦୂରରୁ ନାଳରୁ ଉଦ୍ଧାର କରିଥିବା ଜଣାଯାଇଛି l ପ୍ରତିକୂଳ ପାଣିପାଗ ଓ ଗଭୀର ପାଣିର ପ୍ରଖର ସ୍ରୋତ ସତ୍ତ୍ୱେ ଦୀର୍ଘ ୩ ଦିନର ପ୍ରାଣମୂର୍ଚ୍ଛା ଉଦ୍ୟମ, ଧର୍ଯ୍ୟ ଓ କଠିନ ପରିଶ୍ରମ ଯୋଗୁଁ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀର ଷ୍ଟେସନ ଅଫିସର ପାଉଲୁଶ କୁଜୁରଙ୍କ ନେତୃତ୍ଵରେ ବିଭାଗର କର୍ମଚାରୀ ରଶ୍ମି ରଞ୍ଜନ ବାରିକ, ସନ୍ତୋଷ ବେହେରା, ସୁଜିତ୍ ରାଉତ୍, ସୁଶୀଲ ମାଝୀ, ଏସ ଏନ୍ ଖୁଣ୍ଟିଆ, ଏନ୍- କେ ସାହୁ, ପି. ମେଣ୍ଟାଲିଟି, ୟୁ ଏସ ଧରୁଆ, ପି. ବର୍ଗେ, ପି. କର୍ଣ ପ୍ରମୁଖ ସମସ୍ତଙ୍କ ସହଯୋଗରେ ମୃତ ଦୁଇ ଭାଇଙ୍କ ଶବ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି l ଆଶା ଆଶଙ୍କାରେ ଖୁବ ଦୁଃଖ କଷ୍ଟରେ ଜୀବନ ବିତାଉଥିବା ଏ ଶୋକ ସନ୍ତପ୍ତ ପରିବାରକୁ ପୋଲିସ ଓ ମେଡ଼ିକାଲ ଟିମ୍ ର ସହାୟତାରେ ଦୁଇ ଭାଇଙ୍କ ଶବ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରାଯାଇଛି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ