ଜୟପୁର, ୧୧ ଜୁଲାଇ (ହି.ସ.)- ସାରା ରାଜ୍ୟରେ ଡ୍ରାଇଭର ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୪ର୍ଥ ଦିନରେ ଚାଲିଥିବା ବେଳେ ଟେଙ୍କର ଚାଳକ ମାନେ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଫଳରେ ପେଟ୍ରୋଲ ଓ ଡିଜେଲ ଟେଙ୍କର ଗୁଡିକ ଯାତାୟାତ ବନ୍ଦ କରିଦେଇଛନ୍ତି । ଫଳରେ କୋରାପୁଟ ଜିଲ୍ଲା ସହ ଜୟପୁର ସହର ଏବଂ ଆଖପାଖ ଅଞ୍ଚଳର ପେଟ୍ରୋଲ ପମ୍ପ ଗୁଡିକରେ ତେଲର ଅଭାବ ଯୋଗୁଁ କେବଳ ସରକାରଙ୍କ ଜରୁରୀକାଳିନୀ ସେବା ପାଇଁ ଡିଜେଲ ଓ ପେଟ୍ରୋଲ ଗଚ୍ଛିତ ରଖାଯାଇଥିବା ବେଳେ ସାଧାରଣ ଗ୍ରାହକଙ୍କୁ ତେଲ ପ୍ରଦାନ ବନ୍ଦ କରାଯାଇଛି । ଫଳରେ ସହର ଏବଂ ଆଖପାଖ ପେଟ୍ରୋଲ ପମ୍ପରେ ବାଇକ ଓ ଚାରିଚକିଆ ଯାନ ଗୁଡିକ ଗାଡିରେ ତେଲ ପକାଇବା ନେଇ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହିପରି ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତ୍ୟେକ ବାଇକ ପିଛା ସର୍ବାଧିକ ୨ରୁ ୪ ଲିଟର ଏବଂ ଚାରିଚକିଆ ପାଇଁ ୧୦ ଲିଟର ଧାର୍ଯ୍ୟ କରିବା ସହ ପ୍ରଦାନ କରିଥିଲେ । ଏହିପରି ଗୁରୁବାର ସଂଧ୍ୟା ୮ଟା ପରେ ପେଟ୍ରୋଲ ଓ ଡିଜେଲ ପ୍ରଦାନ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଥିଲା । ଫଳରେ ଗ୍ରାହକ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାର ଡ୍ରାଇଭର ସଂଘର ଆନ୍ଦୋଳନ ବନ୍ଦ କରିବାରେ ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।
ପ୍ରକାଶ ଯେ, କୋରାପୁଟ ଜିଲ୍ଲାକୁ ପେଟ୍ରୋଲ ଓ ଡିଜେଲ ଗୁଡିକ ପାରଦ୍ବୀପ ଏବଂ ଜଟଣୀ ଡିପୋରୁ ଆସୁଥିବା ବେଳେ ଟେଙ୍କର ଗୁଡିକର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଯୋଗୁଁ ଟେଙ୍କର ଡ୍ରାଇଭର ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି । ପେଟ୍ରୋଲ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏକପ୍ରକାର ଠପ୍ । ଘରୋଇ ବସ୍ ଚଳାଚଳ କରୁନଥିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୬ ଦଫା ଦାବି ପୂରଣ ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବି ଆନ୍ଦୋଳନ ଜାରି ରହିଛି। ସରକାରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଆଶା କରୁଛି ଡ୍ରାଇଭର ସଂଘ। ଅନ୍ୟପଟେ ଆଜିଠୁ ରାଜ୍ୟର ସମସ୍ତ ପେଟ୍ରୋଲ୍ ପମ୍ପ୍ରେ ତେଲ ସଙ୍କଟ ଦେଖାଯାଇଛି । ଆଜି ଅନେକ ପେଟ୍ରୋଲ୍ ପମ୍ପ୍ରେ ତେଲ ସରିଯାଇଥିବା ଲକ୍ଷ୍ୟ କରାଯାଇଛି । କୋରାପୁଟ ଜିଲ୍ଲାରେ ପେଟ୍ରୋଲ ର ଅଭାବୀ ଦେଖିବାକୁ ମିଳିଛି। ତେଲ ପରିବହନ ବନ୍ଦ ରହିଛି ସେଥିପାଇଁ ପେଟ୍ରୋଲର ଜଟିଳ ସମସ୍ୟା ସୃଷ୍ଟି ହୋଇଛି । ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁ ଏପରି ସମସ୍ୟା ଉପୁଜିଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି