ଧର୍ମଶାଳା, ୧୧ ଜୁଲାଇ (ହି.ସ.)- ବହୁ ଦିନର ପ୍ରତୀକ୍ଷା ପରେ ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀରେ ପ୍ରସ୍ତାବିତ ଭୂତଳ ତୈଳ ଭଣ୍ଡାର ହେବ । ଏନେଇ ଧର୍ମଶାଳା ତହସିଲ ପକ୍ଷରୁ ସ୍ଥାନୀୟ ଡଙ୍କାରୀବାସୀଙ୍କୁ ନୋଟିସ୍ କରାଯାଇଛି । ଡଙ୍କାରୀ ମୌଜାର ଖାତା ନଂ ୪୬୮, ଖସଡା ୪୫/୨୨୮୪, ୧୨୮/୨୨୮୫, ୧୪୦/୨୨୦୬ ଓ ୧୫୯୬ ରକବା ଏ ୧୦୦, ୮୪୩, ଏ୫୭, ୮୮୭, ଏ୧୬୩, ୪୯୦, ଏ ୭୬, ୭୮୦ ମୋଟ ଏ ୪୦୦.୦୦(ଏକର) କିସମ ପର୍ବତ ରେକର୍ଡ ଆବାଦ ଅଯୋଗ୍ୟ ଅନାବାଦୀ ସରକାରୀ ଜମି ରହିଛି । ଉକ୍ତ ଜମିକୁ ଇଡ୍କୋକୁ ହସ୍ତାନ୍ତର ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭୂତଳ ତୈଳ ଭଣ୍ଡାର ନିର୍ମାଣ କରାଯିବ । ତେଣୁ ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କର କୌଣସି ଆପତି ଅଭିଯୋଗ ରହିଥିଲେ ଉକ୍ତ ନୋଟିସ୍ ଜାରିର ୧୫ ଦିନ ମଧ୍ୟରେ ତହସିଲ କାର୍ଯ୍ୟାଳୟରେ ସିଧାସଳଖ ଅଭିଯୋଗ କରିପାରିବେ । ଧାର୍ଯ୍ୟ ସମୟ ପରେ ଅଭିଯୋଗ ଆସିଲେ ସେହି ଅଭିଯୋଗକୁ ଗ୍ରହଣ କରାଯିବ ନାହିଁ ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୫୦୭୩ ରେ ନୋଟିସ୍ ଜାରି କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ