ସମ୍ବଲପୁର, ୧୨ ଜୁଲାଇ (ହି.ସ.)
ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷାର ପରିଣାମ ସ୍ୱରୂପ ଜଳମଗ୍ନ ହୋଇଥିବା କୁଚିଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ଶାସକ ଓ ପ୍ରଶାସକ ମିଳିତ ଭାବେ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ନିଜ ନିର୍ବାଚନ ମଣ୍ଡଳୀର ରାମଝାଲି, ଠେଲ୍କୋବୁଡ, କହ୍ଲାପଡା, ଉଲୁଣ୍ଡା, କଟୁପାଲି, ଲଏଗୁରା ଓ ଲସରାଟାଙ୍ଗର ପ୍ରଭୃତି ଗ୍ରାମଗୁଡ଼ିକୁ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଓ ଅଧିନସ୍ତ ଅଧିକାରୀ ମାନଙ୍କ ସହ ପରିଦର୍ଶନ କରିଛନ୍ତି।
ବନ୍ୟା ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତିର ସମ୍ପର୍କରେ ଅନୁଧ୍ୟାନ କରି, ପ୍ରଭାବିତ ପରିବାରମାନଙ୍କୁ ମିଳିତ ଭାବେ ସାକ୍ଷାତ କରି ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିବା ମନ୍ତ୍ରୀ ଶ୍ରୀ ନାଏକ ନିଜର ସାମାଜିକ ଗଣମାଧ୍ୟମ ଫେସବୁକରେ ଅପଲୋଡ଼ କରି ଏହି ଅସୁବିଧାଜନକ ପରିସ୍ଥିତିରେ ସହଯୋଗ ଓ ସହାୟତା ସୁନିଶ୍ଚିତ କରିବାକୁ ମନ୍ତ୍ରୀ ପ୍ରଶାସନ ଓ ସମ୍ବନ୍ଧିତ ବିଭାଗମାନଙ୍କୁ ଶୀଘ୍ର ଉଚିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିବା ଉଲ୍ଲେଖ କରିଛନ୍ତି।ଏପରିକି ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ତାଙ୍କ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ମନ୍ତ୍ରୀ ଜିଲ୍ଲାପାଳ ଓ ବିଭିନ୍ନ ଅଧିକାରୀ ମାନଙ୍କ ସହ ବନ୍ୟା ବିପର୍ଯ୍ୟସ୍ତ କୁଚିଣ୍ଡା ଓ ବାମରା ବ୍ଲକର ରାମଝଳି ସହିତ ଗୋଛରା ଜିପିର ଉଲୁଣ୍ଡା, କଟୁପାଲି ବାଙ୍କେ ଜିପିର ଅରଡ଼ାବାହାଲ, ଲସରାଟାଙ୍ଗର, ମହୁଲପାଲି, ଛତିପୋଷ, ବାବୁନିକ୍ତିମାଲ,କୁରମୁଲେଇ,ବଡ଼ଝୋରେ, ଲଙ୍ଗବାହାଲ, ଜରାବଗା, ଲରିଆପାଲି ପରିଦର୍ଶନ କରିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଯୁକ୍ତା କାଲୋ ସୂଚନା ଦେଇଛନ୍ତି,କିନ୍ତୁ କଣ ସବୁ କ୍ଷୟ କ୍ଷତି ହୋଇଛି ସେ ସମ୍ପର୍କରେ କୌଣସି ତଥ୍ୟ ଉପସ୍ଥାପନା କରିନାହାନ୍ତି। ତେବେ ଶାସକ ଓ ପ୍ରଶାସକ ମିଳିତ ଭାବେ ଏହି ସବୁ ଅଞ୍ଚଳ ବୁଲି ଦେଖି ପରିଦର୍ଶନ କରିଥିବାରୁ ଲୋକଙ୍କ ସରକାର ଲୋକଙ୍କ କାମରେ ଆସିବେ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ଆଶା ବାନ୍ଧି ରହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ