ଭୁବନେଶ୍ୱର, ୧୪ ଜୁଲାଇ (ହି.ସ.)- ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଦୁଇଦିନିଆ ଭୋପାଳ ଗସ୍ତରେ ଯାଇ ସେଠାରେ ‘ବିଧାନସଭାରେ କମିଟି ବ୍ୟବସ୍ଥାର କାର୍ଯ୍ୟକାରିତା ଓ ଏହାକୁ କିପରି ଅଧିକ ପ୍ରଭାବୀ କରାଯାଇପାରିବ’ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି। ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ନରେନ୍ଦ୍ର ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବାଚସ୍ପତି ସମ୍ମିଳନୀରେ ପଶ୍ଚିମବଙ୍ଗ, ରାଜସ୍ଥାନ, ଉତରପ୍ରଦେଶ, ସିକିମ୍, ହିମାଚଳ ପ୍ରଦେଶ ସମେତ ଓଡ଼ିଶା ଭଳି ସାତଟି ରାଜ୍ୟର ବାଚସ୍ପତି ଯୋଗଦେଇଛନ୍ତି ।
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବିଧାନସଭାଠାରେ ଆୟୋଜିତ ଏହି ସମ୍ମିଳନୀ ଅବସରରେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ବିଧାନସଭା କମିଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଧାନସଭାର କମିଟିଗୁଡ଼ିକ ଶାସନ ବ୍ୟବସ୍ଥାର ସଠିକ୍ କାର୍ଯ୍ୟକାରିତାକୁ ସମ୍ପୂର୍ଣ୍ଣ ଭାବେ ତର୍ଜମା କରୁଥିବାବେଳେ ରାଜ୍ୟର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥାଆନ୍ତି ଓ ଅନ୍ୟ ପକ୍ଷରେ ସରକାରୀ ନୀତିନିୟମର ସଠିକ ପାଳନ ବ୍ୟବସ୍ଥାର ଯାଞ୍ଚ କରିବା ସହ ବ୍ୟତିକ୍ରମ କ୍ଷେତ୍ରରେ ସୁଚିନ୍ତିତ ପରାମର୍ଶ ମାଧ୍ୟମରେ ସେଥିରେ ସୁଧାର ଆଣିବାରେ ସହାୟକ ହୋଇଥାଆନ୍ତି । କମିଟି ସବୁ ନିୟମିତ ଓ ନିରନ୍ତର ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ଯୋଜନାର ସଠିକ୍ ରୂପାୟନ ଦିଗ ପ୍ରତି ଦୃଷ୍ଟି ଦେଇଥାଆନ୍ତି ।
ଓଡ଼ିଶାରେ ୪ଟି ଆର୍ôଥକ କମିଟି, ଆକାଉଂଟ କମିଟି, ଏଷ୍ଟିମେଟ୍ କମିଟି, ପବ୍ଲିକ୍ ଅଣ୍ଡରଟେକିଙ୍ଗ୍ କମିଟି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ କମିଟି ସମେତ ୧୦ଟି ସ୍ଥାୟୀ କମିଟି, ୧୨ଟି ହାଉସ୍ କମିଟି, ୫ଟି ଆଇନ ଅନୁଯାୟୀ ଗଠିତ କମିଟି ଓ ଆମେନିଟିଜ୍ କମିଟି ସମେତ ଆଡ୍ -ହକ୍ କମିଟି ସକ୍ରିୟ ଭାବେ କାର୍ଯ୍ୟ କରୁଛି ।
୨୦୨୪ରେ ଆରମ୍ଭ ହୋଇଥିବା ୧୭ତମ ବିଧାନସଭାରେ ଏକ କ୍ୟାଲେଣ୍ଡର ବର୍ଷରେ ୬୨ ଦିନ ଅଧିବେଶନ ଅନୁଷ୍ଠିତ ହୋଇ ରେକର୍ଡ ସ୍ଥାପନ ହୋଇଥିବାବେଳେ ୨୦୨୫ ଅପ୍ରେଲ ୨ ତାରିଖରେ ନିରନ୍ତର ଭାବେ ୧୨ ଘଂଟା ୨୫ ମିନିଟ୍ ଧରି ଚର୍ଚ୍ଚା ପରେ ‘ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୪’ ପାସ୍ ହୋଇଥିଲା । ରାତିସାରା ଚାଲୁ ରହିଥିବା ଏହି ଆଲୋଚନା ଆମ ବିଧାନ ବ୍ୟବସ୍ଥାର ଦୃଢ଼ତାକୁ ପ୍ରମାଣିତ କରେ ।
ଓଡ଼ିଶା ବିଧାନସଭାର କମିଟି ବ୍ୟବସ୍ଥା ଖୁବ୍ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରୁଥିବାବେଳେ ଆଗାମୀ ଦିନରେ ଏହା କିପରି ଅଧିକ ସକ୍ରିୟ ଓ ତ୍ୱରାନ୍ୱିତ ହୋଇ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିବ ସେଥିପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ଉଲ୍ଲେଖ କରିଥିଲେ। ଓଡ଼ିଶା ବିଧାନସଭାର ଗବେଷଣା ଅଧିକାରୀ ପ୍ରଶାନ୍ତ ଦାସ ମଧ୍ୟ ବାଚସ୍ପତିଙ୍କ ସହ ଭୋପାଳ ଗସ୍ତରେ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା