- ଉଚ୍ଚ ଶିକ୍ଷାମନ୍ତ୍ରୀ, ବାଲେଶ୍ୱର ସାଂସଦ, ସଦର ବିଧାୟକଙ୍କ ଇସ୍ତଫା ଦିଅନ୍ତୁ
ଭୁବନେଶ୍ୱର, ୧୪ ଜୁଲାଇ (ହି.ସ.)- ଫକୀର ମୋହନ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟର ବି.ଇ.ଡ଼ି. ବିଭାଗର ଛାତ୍ରୀର ଆତ୍ମହତ୍ୟା ଉଦ୍ୟମ ରାଜ୍ୟର ବିର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ନିରାପତାହୀନତାର ନଗ୍ନ ରୂପକୁ ପୁନଃ ଉନ୍ମୋଚିତ କରିଛି ବୋଲି ଏଠାରେ ସି.ପି.ଆଇ.(ଏମ୍) ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି । ଏପରି ଘଟଣାର ନିରପେକ୍ଷ ବିଚାର ବିଭାଗୀୟ ତଦନ୍ତ ସମେତ ଘଟଣା ସଂପର୍କରେ ଅବଗତ ରହି ନିଜର ଦାୟିତ୍ୱ ପାଳନ କରିନଥିବା ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ, ବାଲେଶ୍ୱର ସାଂସଦ, ବାଲେଶ୍ୱର ସଦର ବିଧାୟକଙ୍କ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ସହିତ ଘଟଣା ସହିତ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ କଠୋର ଦଣ୍ଡର ବ୍ୟବସ୍ଥା ଓ କଲେଜ ଅଧ୍ୟାପକଙ୍କୁ ଗିରଫ କରିବା ପାଇଁ ସି.ପି.ଆଇ.(ଏମ୍) ଦାବି କରିଛି ।
ଗତ ଜୁଲାଇ ୧ ତାରିଖରୁ ସଂପୃକ୍ତ ଛାତ୍ରୀ ତାଙ୍କ ବିଭାଗର ମୁଖ୍ୟ ଅଧ୍ୟାପକ ସମୀର କୁମାର ସାହୁଙ୍କ ବିରୁଦ୍ଧରେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଥିବା ବିରୁଦ୍ଧରେ ଅଭିଯୋଗ ନିଜର ଏକ୍ସ ହେଣ୍ଡଲରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ବିଭାଗ ଅଧିକାରୀ, କଲେଜ ଅଧ୍ୟକ୍ଷ, କଲେଜରେ ଥିବା ଆଭ୍ୟନ୍ତରୀଣ ସୁରକ୍ଷା କମିଟି, ଜିଲ୍ଲା ପୁଲିସ୍ ଅଧିକାରୀଙ୍କୁ ନିଜ ଛାତ୍ର ସଂଗଠନ ଏ.ବି.ଭି.ପି.ର ଲେଟର ପ୍ୟାଡ଼ରେ ଜଣାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଫଳରେ ଏଭଳି ନିର୍ମମ ଆତ୍ମହତ୍ୟାର ଉଦ୍ୟମ ନେଇଛନ୍ତି । ଏହା ପୂର୍ବରୁ କିଟ୍ ବିଶ୍ୱବିଦ୍ୟାଳୟର ଜଣେ ନେପାଳୀ ଛାତ୍ରୀଙ୍କର ଆତ୍ମହତ୍ୟା ଘଟଣା ଉପରେ ରାଜ୍ୟ ସରକାର କ’ଣ ଯାଞ୍ଚ କଲେ ଜଣା ପଡ଼ିନାହିଁ ଏବଂ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେବା ଫଳରେ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ନିରାପତ୍ତା ଆହୁରି ଭୟଙ୍କର ଓ ବିପଦଜ୍ଜନକ ହୋଇଛି । ଏଭଳି ଅବସ୍ଥା ବିରୁଦ୍ଧରେ ସି.ପି.ଆଇ.(ଏମ୍) ରାଜ୍ୟ ତମାମ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ/ଏସ୍.ପି.ଙ୍କ ଦପ୍ତର ସାମନାରେ ଆସନ୍ତା ଜୁଲାଇ ୧୬ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା ସହିତ ପ୍ରତିବାଦ- ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା