ରାଉରକେଲା, ୧୪ ଜୁଲାଇ(ହି.ସ.) – ଲଗାଣ ବର୍ଷା ଯୋଗୁଁ ଆଜି ଭୋରରୁ ରାଉରକେଲା ସହରର ବିଭିନ୍ନ ଅଂଚଳରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଥିବାର ଦେଖାଯାଇଥିଲା। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ବସ୍ତି ଅଂଚଳରେ ଓ ତଳିଆ ଅଂଚଳରେ ରହୁଥିବା ଘର ଗୁଡିକ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଶାସନ ତରଫରୁ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ରାଉରକେଲା ସହରର ମଛଲି ବସ୍ତି ସହିତ ବିଭିନ୍ନ ଜଳବନ୍ଦୀ ଅଂଚଳ ଗସ୍ତ କରିଥିଲେ। ତାଙ୍କର ଏହି ଗସ୍ତ ସମୟରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି ଉପସ୍ଥିତ ଥିଲେ। ଜିଲ୍ଲାପାଳ ଓ କମିଶନର ବର୍ଷା ଯୋଗୁଁ ପ୍ରଭାବିତ ରାଉରକେଲା ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଲୋକଙ୍କ ସ୍ଥିତି ପଚାରି ବୁଝିଥିଲେ। ଜିଲ୍ଲାପାଳ ପ୍ରଭାବିତ ଲୋକମାନଙ୍କ ସହାୟତା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ।
ପ୍ରଶାସନ ତରଫରୁ ନାଲାରୋଡ, ମାଲଗୋଦାମ , ଟୁଙ୍ଗରୀଟୋଲା ଅଂଚଳର ବିପନ୍ନଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି। ପାନପୋଷ ତହସିଲ ପକ୍ଷରୁ ପ୍ରଭାବିତ ଲୋକମାନଙ୍କୁ ପଲିଥିନ ବଂଟନ କରାଯାଇଛି। ପମ୍ପଯୋଗେ ଜଳ ନିଷ୍କାସନର ମଧ୍ୟ ବ୍ୟବସ୍ଥା କରାଯାଇଛି। ରାଉରକେଲା ମହାନଗର ନିଗମର ସମସ୍ତ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ସ୍ଥିତି ଯାଂଚ କରିବା ସହିତ ଅଗ୍ନିଶମ ବିଭାଗ ଗଛ ହଟାଇବାରେ, ପିଡବ୍ଲ୍ୟୁଡି ବିଭାଗ ରାସ୍ତା ମରାମତିରେ ସହଯୋଗ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/କାଳୀପ୍ରସାଦ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ