ଧର୍ମଶାଳା,୧୪ଜୁଲାଇ(ହି.ସ.) - ଯାଜପୁର ଜିଲାରେ ଏବେ ଧଳ ଜବହର କାରବାର ବୃଦ୍ଧି ପାଇବାରେ ଲାଗିଛି । ଗଲା କିଛି ଦିନ ହେବ ଧରପଗଡ ହେବା ଫଳରେ ଏହି କାରବାରରେ ସାମାନ୍ୟ ରୋକ ଲାଗିଥିଲା । ଏବେ ପୋଲିସ ସେପରି କିଛି ଦୃଢ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଏବେ ଏହି କାରବାର ବହୁଳ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଯୁବ ଗୋଷ୍ଠୀ ଏହି କାରବାରରେ ସମ୍ପୃକ୍ତି ରହିଥିବା ବେଳେ ଅନେକ ସମୟରେ ଅପରାଧିକ ମାମଲା କରିବାରୁ ପଛାଉ ନାହାନ୍ତି । କିଛି ଦିନ ପୂର୍ବେ ଧର୍ମଶାଳା ଥାନା ଅଂଚଳରେ ଏହି କାରବାର ବୃଦ୍ଧି ପାଇଥିଲା । ବାରମ୍ବାର ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଖବର ପ୍ରଚାରିତ ହେବା ପରେ ପୋଲିସ ସକ୍ରୀୟ ହୋଇ ଏହି ଘଟଣାରେ ସମ୍ପୃକ୍ତଥିବା ବ୍ୟବସାୟୀ ଓ ଯୁବକଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ବ୍ରାଉନ ସୁଗାର ଜବତ କରିଥିଲା । ଏହି କାର୍ଯ୍ୟାନୁଷ୍ଠାନ ନେବା ଫଳରେ କାରବାରରେ ସାମାନ୍ୟ ରୋକ ଲାଗିଥିଲା । କିଛି ବ୍ୟବସାୟୀ କାର୍ଯ୍ୟାନୁଷ୍ଠାନ ଭୟରେ ଧର୍ମଶାଳା ଥାନା ଅଂଚଳ ଛାଡି ଏବେ କୁଆଖିଆ ଥାନା ଅଂଚଳରେ ଆଡା ଜମାଇଛନ୍ତି । ଏହି ଥାନା ଅନ୍ତର୍ଗତ ମୂଳାପାଳ ଛକ ଓ ରାଜେନ୍ଦ୍ରପୁର ରାସ୍ତାରେ ଏହି କାରବାର ବୃଦ୍ଧି ପାଇବାରେ ଲାଗିଛି । ବ୍ୟବସାୟୀମାନେ ବାଇକ୍ରେ ଆସି ଏହି ସ୍ଥାନମାନଙ୍କରେ ଯୁବକମାନଙ୍କୁ ଯୋଗାଇ ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି । ଯୁବକମାନଙ୍କ ହାତପାହାନ୍ତାରେ ବ୍ରାଉନ ସୁଗାର ପାଇ ଯିବାରୁ ଅନେକ ଅପରାଧିକ ମାମଲା କରିବାକୁ ପଛାଉ ନାହାନ୍ତି । ଏଦିଗରେ କୁଆଖିଆ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ଏହି ଅଂଚଳରେ ବ୍ରାଉନ ସୁଗାର କାରବାର ବୃଦ୍ଧି ପାଇବାରେ ଲାଗିଛି । ଜିଲା ପ୍ରଶାସନ ଏହି ଅଂଚଳ ପ୍ରତି ତୁରନ୍ତ ଦୃଷ୍ଟି ଦେଇ କାରବାରରେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନେବାକୁ ଅଂଚଳବାସୀ ଦବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ