ଧର୍ମଶାଳା,୧୪ଜୁଲାଇ(ହି.ସ.) - ଯାଜପୁର ଜିଲା ଜାରକା ଫ୍ଲାଇଓଭର ବ୍ରିଜର ଉଭୟ ପାର୍ଶ୍ୱରେ ଦୁଇ ଗୋଟି ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ନିଷ୍ପତି ନିଆଯାଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ ରବି ଲାବଣ୍ୟଙ୍କ ଜୀବିତ ଅବସ୍ଥାରେ ଏହି ନିଦ୍ଦେର୍ଶ ଦିଆଯାଇଥିବା ବେଳେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ ରବି ଲାବଣ୍ୟଙ୍କ ଦୁଇପୁତ୍ର ଜାତୀୟ ରାଜପଥ କତୃପକ୍ଷଙ୍କୁ ସାକ୍ଷାତ କରି ଦାବି କରିଛନ୍ତି । ଜାରକା ବସ୍ଷ୍ଟପ୍ଠାରେ ଯାତ୍ରୀ ପ୍ରତୀକ୍ଷାଳୟ ନଥିବାରୁ ଯାତ୍ରୀମାନେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀମାନେ ଖରା ବର୍ଷା ଶୀତ କାକରରେ ଠିଆହୋଇ ବସକୁ ଅପେକ୍ଷା କରି ରହୁଛନ୍ତି । ବସ୍ ଯାତ୍ରୀମାନଙ୍କ ନିମନ୍ତେ ଫ୍ଲାଇଓଭର ବ୍ରିଜର ଦୁଇପାଶ୍ୱର୍ରେ ଦୁଇଗୋଟି ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରିବାକୁ ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ ରବି ଲାବଣ୍ୟ ୨୦୨୩ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଚକ୍ରବର୍ତୀ ସିଂହ ରାଠୋରଙ୍କ ନିକଟରେ ଦାବି କରିଥିଲେ । ତଦନୁଯାୟୀ ତତ୍କାଳୀନ ଜିଲ୍ଲାପାଳ ଦୁଇଗୋଟି ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରିବାକୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରବି ଲାବଣ୍ୟଙ୍କର ପରଲୋକ ହୋଇଯାଇଥିବା ବେଳେ ଇତି ମଧ୍ୟରେ ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କାର୍ଯ୍ୟ ହୋଇପାରିନଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଅଛି । ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ରବି ଲାବଣ୍ୟଙ୍କ ଜ୍ୟେଷ୍ଠ ପୁତ୍ର ପ୍ରାଧ୍ୟାପକ ବଳଭଦ୍ର ଦାଶ ଏବଂ କନିଷ୍ଠ ପୁତ୍ର ଆଇନଜୀବୀ ଶ୍ୟାମପ୍ରସାଦ ଦାଶ ଚଣ୍ଡିଖୋଲ ସ୍ଥିତ ଜାତୀୟ ରାଜପଥ କାର୍ଯ୍ୟାଳୟ ଠାରେ ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି ବର୍ମାଙ୍କୁ ସାକ୍ଷାତ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ପାଇଁ ଆମେ ପ୍ରସ୍ତୁତ ହୋଇ ରହିଅଛୁ । କିନ୍ତୁ ଆବଶ୍ୟକ ଜମି ଚିହ୍ନଟ ହୋଇନଥିବାରୁ ଏହାର ନିର୍ମାଣ କାର୍ଯ୍ୟ ଅଟକି ରହିଛି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି ବର୍ମା ପ୍ରକାଶ କରିଥିଲେ । ତହସିଲଦାର ତୁରନ୍ତ ଜମି ଚିହ୍ନଟ କରି ଆମକୁ ଯୋଗାଇ ଦେଲେ ଖୁବ ଶୀଘ୍ର ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ଆରମ୍ଭ ହେବ ବୋଲି ସେ କହିଥିଲେ । ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ପିତାଙ୍କର ସ୍ୱପ୍ନ ପୂରଣ କରିବାକୁ ଉଭୟ ପୁତ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ