ଭୁବନେଶ୍ୱର, 16 ଜୁଲାଇ (ହି.ସ.) ଫକୀର ମୋହନ (ସ୍ୱାୟତ୍ତ) କଲେଜର ଦ୍ୱିତୀୟ ବର୍ଷର ବିଏଡ୍ ଛାତ୍ରୀଙ୍କ ଆତ୍ମଦାହ ଫଳରେ ଦୁଃଖଦ ମୃତ୍ୟୁ ବିରୋଧରେ ବିଜୁ ଜନତା ଦଳ (ବିଜେଡି) ବୁଧବାର ବାଲେଶ୍ୱର ବନ୍ଦ ର ଆହ୍ୱାନର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ଏହି ବନ୍ଦ ଫଳରେ ସହରର ସାଧାରଣ ଜନ ଜୀବନ ପ୍ରଭାବିତ ହୋଇଛି ।
ବିଜେଡି ପକ୍ଷରୁ ଆହୁତ ଏହି ବନ୍ଦ ସକାଳ ୬ଟାରୁ ଆରମ୍ଭ ହୋଇ ଦୁପର ୨ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ଘୋଷଣା କରାଯାଇଛି । ଏହି ସମୟ ଅବଧିରେ ଦୋକାନ, ବଜାର, ସରକାରୀ କାର୍ଯ୍ୟାଳୟ, ବେସରକାରି ସଂସ୍ଥା ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ସଡ଼କରେ ବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।
ଆଜି ସକାଳୁ ହିଁ ବିଜେଡି କର୍ମୀ ମାନେ ରାସ୍ତାକୁ ଆସି ପିକେଟିଂ କରିଥିବା ଦେଖିବାକୁ ମିଳିଥିଲା । ସହରର ବିଭିନ୍ନ ଛକ ମାନଙ୍କରେ ପାର୍ଟି ର କର୍ମୀ ମାନେ ଆସି ହାତରେ ପ୍ଲାକାର୍ଡ ଓ ପୋଷ୍ଟର ନେଇ ନାରାବାଜୀ କରିଥିଲେ। ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏହା ଜରିଆରେ ଦାବି କରାଯାଇଥିଲା ।
ବିଜେଡି ଏହି ଘଟଣାକୁ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଫଳତା ବୋଲି କହି ସରକାରକୁ କାଠଗଡାକୁ ଟାଣିଛି । ପାର୍ଟି କହିଛି ଯେ, ଏହି ଆନ୍ଦୋଳନ ଲୋକମାନଙ୍କ ଭାବନାର ପ୍ରତିଫଳନ ଅଟେ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ବ୍ୟବସ୍ଥାରେ ବ୍ୟାପକ ସଂଶୋଧନ ଆବଶ୍ୟକ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ