ଜୟପୁର,2 ଜୁଲାଇ (ହି.ସ.)
ରବିବାର ଠାରୁ ୩ଦିନ ହେଲା ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଜବାକନାଡି, ପଣସପୁଟ ବାଗ୍ରା ଓ ଜିଲ୍ଲାଚିକିତ୍ସାଳୟ ନିକଟରେ ଗଛ ପଡି ରାସ୍ତା ଅବରୋଧ ହେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନି ପହଁଚି ଗଛ କାଟି ରାସ୍ତାରେ ଚଳାଚଳ ସ୍ବଭାବିକ କରିଥିଲେ। ଆଜି ଭୋର ୫ଟା ସମୟରେ ଜୟପୁ ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ରାସ୍ତାରେ ଏକ ବଡ ଗଛ ପଡିଥିଲା। ଯାହା ଫଳରେ ଯାତାୟତ ହେବା କଷ୍ଟସାଧ୍ୟ ହୋଇଥିଲା। ରାସ୍ତା ଅବରୋଧ ଯୋଗୁଁ ଜୟପୁର-ମାଲକାନଗିରି, ଜୟପୁର ମାଛକୁଣ୍ତ, ଓ ଲମତାପୁଟ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ଉଭୟ ପଟେ ଗାଡି ଅଟକି ରହିଥିଲା। ୧ଘଣ୍ଟା ପରେ ଅଗ୍ନିଶମ ବାହିନି ଘଟଣା ସ୍ଥଳରେ ପହଁଚି ଗଛର ଶାଖା ପ୍ରଶାଖା କାଟି ରାସ୍ତା ରେ ଯାତାୟତ ପରିସ୍ଥିତି ସ୍ବଭାବିକ କରିଥିଲେ। ସେହିପରି ମଧ୍ୟାହ୍ନ ୧୨ଟାରେ ସେହି ଜାତୀୟରାଜପଥରେ ପଣସପୁଟ ବାଗ୍ରା ଗ୍ରାମ ଠାରେ ପୁଣି ଏକ ବଡ ଗଛ ରାସ୍ତା ଉପରେ ପଡିବା ଯୋଗୁଁ ରାଜପଥ ଅବରୋଧ ହୋଇଥିଲା। ଅଗ୍ନିଶମ ବିଭାଗ ତୁରନ୍ତ ଘଟଣା ସ୍ଥଳରେ ପହଁଚି ଗଛକାଟି ରାସ୍ତା ସଫେଇ କରିଥିଲେ। ସେଠାରେ ସଫେଇ କାର୍ଯ୍ୟ ଚାଲୁ ରହିଥିବା ବେଳେ ଜୟପୁର- ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥର ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟ ନିକଟରେ ଏକ ଗଛ ରାସ୍ତା ଉପରେ ପଡିରହିଥିଲା। ଯାହା ଫଳରେ ଭାରିଯାନ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଥିଲା। କିନ୍ତୁ ବାଇକ ଓ ତିନି ଓ ଚାରିଚକିଆ ଯାନ ଯାତାୟତ କରୁଥିଲା। ପରେ ଅଗ୍ନିଶମ ଦଳ ଘଟଣା ସ୍ଥଳରେ ପହଁଚିବା ପରେ ସମସ୍ତ ଯାନ ଯାତାୟତ ସ୍ବଭାବିକ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି