ଭୁବନେଶ୍ୱର, ୦୨ ଜୁଲାଇ (ହି.ସ.) -ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୫’ର ଆଜି ଥିଲା ଦ୍ୱିତୀୟ ସଂଧ୍ୟା । ଶ୍ରୀ ମନ୍ଦିରରୁ ତିନି ଗୋଟି ରଥ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଓ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ବାହାରି ଶ୍ରୀମନ୍ଦିର ଯାତ୍ରା ଅତୀବ ରହସ୍ୟମୟ । ଅଗଣିତ ବିଶ୍ୱବାସୀଙ୍କ ଆଶା ଓ ଆକାଂକ୍ଷା ଏବଂ ଉଦ୍ଦୀପନାର ଏ ଯାତ୍ରା, କିଏ କହେ ଘୋଷ ଯାତ୍ରା, କିଏବା କହେ ନବଦିନାତ୍ମକ ଯାତ୍ରା । କେହିବା କହନ୍ତି ଜନ୍ମ ବେଦୀକୁ ଚତୁର୍ଦ୍ଧାମୂତ୍ତିଙ୍କର ଯାତ୍ରା । ଏଭଳି ଏକ ଭାବାପୂର୍ଣ୍ଣ ପରିବେଶରେ କଣ୍ଠଶିଳ୍ପୀମାନଙ୍କର ଜଗନ୍ନାଥଙ୍କ ଉପରେ ଭକ୍ତି ସଙ୍ଗୀତ ପ୍ରବିବେଷଣ ଏହି ଉତ୍ସବକୁ ଦ୍ୱିଗୁଣିତ କରିଛି ।
ଦ୍ୱିତୀୟ ସଂଧ୍ୟାର ପ୍ରଥମ ଗାୟକ ଥିଲେ ମହାପ୍ରସାଦ କର ସେ ପରିବେଷଣ କରିଥିଲେ ଭୁଜ ତଳେ ଓ ସାଲବେଗଙ୍କ ରଚିତ ଗୁଣନିଧୀ ମୋ । ପରେ ପରେ ଅନସୂୟା ନାଥ ସାଲବେଗଙ୍କ ରଚିତ ଆହେ ନୀଳଗିରୀ ଓ ସାରିଆ ଭିକଙ୍କ ରଚିତ ଥକା ମନ ଚାଲ ଯିବା ଗାୟନ କରିଥିଲେ । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଦୁଃଖ ନାଶନ ହେ ଓ ଦୀନବନ୍ଧୁ ଦୈତାରୀ ଯାହାକୁ ଗାୟନ କରିଥିଲେ ବସନ୍ତ ପାତ୍ର । ତା ପରେ ସୃଷ୍ଟି ସରୂପା ପରିବେଷଣ କରିଥିଲେ ବନମାଳୀଙ୍କ ରଚିତ ଏହି କଥାରେ ମୋ ମନ ଓ ଗୌଡ ଦ୍ୱିଜଙ୍କ ରଚିତ ନୀଳ ଚକ୍ର ହେ । ପରେ ପରେ ଆଲୋକ କୁଣ୍ଡୁଙ୍କ ପ୍ରସ୍ତୁତିରେ ଥିଲା ସାଲବେଗଙ୍କ ଦ୍ୱାରା ରଚିତ ଅଣସର ଘରୁ ଆଜ ବାହାର ହେଲ ଓ ଭୀମଭୋଇ ରଚିତ ମନରେ ହରି ଭଜନ । ପରବର୍ତ୍ତୀ କଣ୍ଠଶିଳ୍ପୀ ଥିଲେ ନିଶିପ୍ରଭା ପାଣି ସେ ପ୍ରଥମେ ବୀରକିଶୋରଙ୍କ ରଚିତ ପତିତପାବନ ବାନା ଓ ପରେ ପରେ ବନମାଳୀ ରଚିତ ଦୀନବନ୍ଧୁ ଦୈତାରୀ ଗାୟନ କରିଥିଲେ । ପରବର୍ତ୍ତୀ ସଙ୍ଗୀତଟି ଥିଲା ଗୋପାଳ କୃଷ୍ଣଙ୍କ ରଚିତ ରାଧା ଶ୍ରୀ ପାଦ ବ୍ରଜ ଓ ବାଙ୍କ ଦାଶଙ୍କ ରଚିତ ଶ୍ରୀପତି ମୋ ବିପତି କୁ ପରିବେଷଣ କରିଥିଲେ ପ୍ରଭାତ କୁମାର ପାତ୍ର । ପରେ ପରେ ଦିପ୍ତି ଦାଶ ଗାୟନ କରିଥିଲେ ଭୀମଭୋଇଙ୍କ ରଚିତ ଶ୍ରୀ ଗୁରୁଙ୍କ ପାଦେ ରଖ ଓ ଦୀନବନ୍ଧୁଙ୍କ ଦ୍ୱାରା ରଚିତ ଜୟ ଜଗବନ୍ଧୁ ହେ ଜଦୁ ନନ୍ଦନ । ଦ୍ୱିତୀୟ ସନ୍ଧ୍ୟାର ଅନ୍ତିମ ପରିବେଷଣରେ ଥିଲା ଦିବ୍ୟରଂଜନ ଦାଶଙ୍କ ଦ୍ୱାରା ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ଜୟ ଜୟ ଜଗନ୍ନାଥ ଓ ଭୀମଭୋଇଙ୍କ ରଚିତ ମନରେ ହରି ଭଜନ । ସେମାନଙ୍କୁ ତବଲାରେ ଦୁଶ୍ମନ୍ତ କୁମାର ପରିଡ଼ା, ଢୋଲକରେ ବୈଭବ କୁମାର ଦାଶ, ବଂଶୀରେ ପ୍ରିତୀ ରଞ୍ଜନ ସ୍ୱାଇଁ, ଅକ୍ଟୋନପ୍ୟାଡ଼ରେ ସୁଧାଂଶୁ ଶେଖର ଜେନା, କିବୋର୍ଡ଼ରେ ଚିନ୍ତାମଣୀ ମିଶ୍ର ଏବଂ ହାରମୋନିୟମରେ ସୁମନ୍ତ ମହାରଣା ସହଯୋଗ କରିଥିଲେ ।
ଦ୍ୱିତୀୟ ସଂଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ରୀମତୀ ଶ୍ୟାମାମଣି ଦେବୀ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଡ଼କ୍ଟର କୁମକୁମ୍ ମହାନ୍ତି ; ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀମତୀ ଗୀତା ପଟ୍ଟନାୟକ; ବିଶିଷ୍ଟ ଭାଷାବିତ୍ ପ୍ରଫେସର କିର୍ତ୍ତନ ନାରାୟଣ ପାଢୀ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର । କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡ଼କ୍ଟର ମୃତ୍ୟୁଞ୍ଜୟ ରଥ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା